କନକ ବ୍ୟୁରୋ : ରାଜଧାନୀରେ ୧୪,୯୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩୦ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିରୁ ପ୍ରାୟ ୩ହଜାରରୁ ଅଧିକ ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ହେଲେ ଘରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କର ଜୈବ ଭେଷଜ ବର୍ଜ୍ୟ ବିଏମ୍ସି ପୃଥକ ଭାବେ ସଂଗ୍ରହ କରୁନଥିଲା। ଫଳରେ ଆକ୍ରାନ୍ତମାନେ ତାଙ୍କ ଆବର୍ଜନାକୁ ବିଏମ୍ସି ଡଷ୍ଟବିନ୍ରେ ପକାଉଥିଲେ। ଏହାଦ୍ୱାରା ବହୁ ସଫେଇ କର୍ମଚାରୀ, ଆକ୍ରାନ୍ତଙ୍କ ସମ୍ପର୍କୀୟ, ପାଖପଡ଼ୋଶୀ ଆକ୍ରାନ୍ତ ହେଲେ। ତେଣୁ ବିଏମ୍ସି ସବୁ ଆକ୍ରାନ୍ତଙ୍କ ଘରୁ ଜୈବ ଭେଷଜ ବର୍ଜ୍ୟ ସଂଗ୍ରହ କରିବ ବୋଲି ନିଷ୍ପତ୍ତି ନେଇଛି।
ବିଏମ୍ସି ପକ୍ଷରୁ ସଫେଇସଂସ୍ଥା ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍କୁ ଦାୟିତ୍ୱ ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ ବର୍ଜ୍ୟ ସଂଗ୍ରହ କରାଯିବ।