ପାର୍କିଂ ବ୍ୟବସ୍ଥାର ନବକଳେବର : ଜାଣନ୍ତୁ କାହାକୁ ମିଳିଲା କେତେ ପ୍ରତିଶତ ରିହାତି ?

153

କନକ ବ୍ୟୁରୋ : ପାର୍କିଂ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଆଣିଛି ବିଏମ୍‌ସି । ଏହି ପରିବର୍ତ୍ତିତ ବ୍ୟବସ୍ଥାରେ ସାଇକେଲ୍‌ ଓ ବ୍ୟାଟେରିଚାଳିତ ଯାନକୁ ପ୍ରୋତ୍ସା‌ହନ ଦିଆଯାଇଛି । ସାଇକେଲ୍‌ ପାର୍କିଂକୁ ଦେୟମୁକ୍ତ କରାଯାଇଛି । ସେହିଭଳି ବ୍ୟାଟେରି ଚାଳିତ ଯାନକୁ ପାର୍କିଂ ଦେୟରେ ୪୦ ପ୍ରତିଶତ ରିହାତି ଦିଆଯାଇଛି । ଏଭଳି ବ୍ୟବସ୍ଥାରେ ଖିଲାପ କରିବା ଅଭିଯୋଗ ହେଲେ ପାର୍କିଂ ପାଇଁ ଟେଣ୍ଡର୍‌ ନେଇଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛି ବିଏମ୍‌ସି ।

ବିଏମ୍‌ସି ମୋଟ ୨୯ଟି ଜାଗାରେ ପାର୍କିଂ ପାଇଁ ଟେଣ୍ଡର୍‌ ଆହ୍ବାନ କରିଛି । ଏଥିରୁ ୪ଟି କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହିଛି । ୟୁନିଟ୍‌-୧ ଅଞ୍ଚଳରେ ସାଇକେଲ୍‌ ପାର୍କିଂ ପାଇଁ ମୋଟ ଜାଗାର ୧୦ ପ୍ରତିଶତ ଓ ଅନ୍ୟ ଜାଗାରେ ୫ ପ୍ରତିଶତ ଜାଗା ସାଇକେଲ୍‌ ପାର୍କିଂ ପାଇଁ ସଂରକ୍ଷିତ ରହିବ । ବ୍ୟାଟେରିଚାଳିତ ଯାନ ପାଇଁ ଧାର୍ଯ୍ୟ ଦରରୁ ୪୦ପ୍ରତିଶତ ରିହାତି ଦିଆଯିବ । ସେହିଭଳି ବିଏମ୍‌ସି ଉତ୍ତର ଜୋନ୍‌ରେ ଗାନ୍ଧୀପାର୍କ, ଇଣ୍ଡିଆନ୍‌ ଅଏଲ୍‌ କାର୍ଯ୍ୟାଳୟ ନିକଟ, ସ୍ବସ୍ତି ପ୍ରିମିୟମ୍‌ ଓ କେୟାର ହସ୍‌ପିଟାଲ ନିକଟରେ ଥିବା ପାର୍କିଂ ସ୍ଥାନର ଟେଣ୍ଡର୍‌ ଡକାଯାଇଛି । ଏଥିରେ ରହିଥିବା ସର୍ତ୍ତ ମୁତାବକ, ଦୁଇଘଣ୍ଟା ପାଇଁ ଦୁଇଚକିଆ ଯାନକୁ ୫ଟଙ୍କା ଧାର୍ଯ୍ୟ କରାଯାଇଛି । ୨ରୁ ୩, ୩ରୁ ୪ ଓ ୪ରୁ ୫ ଘଣ୍ଟାକୁ ଯଥାକ୍ରମେ ୧୫, ୨୫ ଓ ୩୫ ଟଙ୍କା ଧାର୍ଯ୍ୟ ହୋଇଛି । ୫ ଘଣ୍ଟା ପରେ ଘଣ୍ଟାକୁ ୨୦ଟଙ୍କା ଲେଖାଏଁ ଦେବାକୁ ହେବ ବୋଲି ସ୍ପଷ୍ଟ କରାଯାଇଛି । ତେବ‌େ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଟିକେଟ୍‌ ଧରି ଯେକୌଣସି ପାର୍କିଂ ସ୍ଥାନରେ ଗାଡ଼ି ରଖି ହେବ । ଏଥିରୁ ବ୍ୟତିକ୍ରମ ହେଲେ ବା ପାର୍କିଂ ପାଇଁ ଅର୍ଥ ଦାବି କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ, ପାର୍କିଂ ଟେଣ୍ଡର୍‌ର ଧାର୍ଯ୍ୟ ଅବଧି ଶେଷ ପରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ବା କେତେକ ସ୍ଥାନୀୟ ଯୁବକ ନକଲି ଟିକେଟ୍‌ ଛାପି ପାର୍କିଂ ଫି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଗୋଟିଏ ଜାଗାରେ ପାର୍କିଂ ପାଇଁ ଟିକେଟ୍‌ କାଟିବା ପରେ ସେହି ଅବଧି ମଧ୍ୟରେ ଅନ୍ୟ ପାର୍କିଂ ଜାଗାରେ ଗାଡ଼ି ରଖିଲେ ମଧ୍ୟ ଅର୍ଥ ଦାବି କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ଏହା ପରେ ବିଏମ୍‌ସି କଠୋର ହୋଇଛି । ୟୁନିଫର୍ମ ଓ ପରିଚୟପତ୍ର ବିନା କୌଣସି କର୍ମଚାରୀ ପାର୍କିଂ ଦେୟ ଆଦାୟ କରିପାରିବେ ନାହିଁ । ଏଭଳି ଅଭିଯୋଗ ଆସିଲେ ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ପାର୍କିଂ ଜାଗାରେ କେତେଦିନ ପାଇଁ ଟେଣ୍ଡର୍‌ ନିଆଯାଇଛି, ସଂସ୍ଥାର ନାମ ସହ ସମ୍ପୂର୍ଣ୍ଣ ବିବରଣୀ ସମ୍ବଳିତ ଏକ ବୋର୍ଡ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।