ରାସ୍ତା କଡରେ ରହିଥିବା ଅଚଳ ଗାଡ଼ି ଉଠାଇନେବ ବିଏମସି । ଠେଲା, କ୍ୟାବିନ୍ , ରିକ୍ସା ଓ ଟାୟାର ବି ଉଠାଇ ନେବାକୁ କଡ଼ା ନିର୍ଦ୍ଦେଶ ଦେଲା ବିଏମସି

1,084

କନକ ବ୍ୟୁରୋ: ରାସ୍ତାରେ ଅଚଳ ଗାଡି ରଖୁଛନ୍ତି କି? ଏଣିକି ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଟେିକିନେବ ବିଏମସି । ବିଏମ୍ସି ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ଅଚଳ ଗାଡି ନୁହେଁ ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତା ନିକଟରେ ରଖି ହେବ ନାହିଁ । ବିଏମସି ପକ୍ଷରୁ କୁହାଯାଇଛି ଯେ, ଏଭଳି ଗାଡି ରଖୁଥିବା ମାଲିକଙ୍କୁ ତାଗିଦ୍ କରାଯିବ । ସେମାନଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହି ସମୟ ଭିତରେ ଗାଡି ନହଟାଇଲେ ବିଏମସି ଆସି ଗାଡି ଉଠାଇନେବ ।

ଭୁବନେଶ୍ୱର ଭୋଇନଗରରୁ ଏହି ଅଭିଯାନ ଆରମ୍ଭ କରିଛି ବିଏମସି । ବିଏମ୍ସି କର୍ମଚାରୀ ରାସ୍ତାରେ ଥିବା ଅଚଳ ଗାଡିକୁ ଉଠାଇବା ପାଇଁ ସେହି ଗାଡିରେ ନୋଟିସ୍ ଲଗାଇଛନ୍ତି । ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗଉଛନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।