ଡେରିରେ ହେଉ ପଛେ ଭାଙ୍ଗିଲା ବିଏମସିର ନିଦ । ଷଣ୍ଢ ଉତ୍ପାତ ପରେ ବୁଲା ଗାଇଗୋରୁଙ୍କୁ ଜିଲ୍ଲାପାର କରିବାକୁ ଚାଲିଛି ଯୋଜନା

Advertisment
ଡେରିରେ ହେଉ ପଛେ ଭାଙ୍ଗିଲା ବିଏମସିର ନିଦ । ଷଣ୍ଢ ଉତ୍ପାତ ପରେ ବୁଲା ଗାଇଗୋରୁଙ୍କୁ ଜିଲ୍ଲାପାର କରିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ : ବୁଲା ଗାଈଗୋରୁ ଓ ‌ଷଣ୍ଢଙ୍କ ଯୋଗୁଁ ବର୍ଷକ ମଧ୍ୟରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୪୨ରୁ ଅଧିକ ଦୁର୍ଘଟଣା ହୋଇଛି। ଏଥିରେ ଦୁଇ ଜଣଙ୍କ ଜୀବନ ବି ଯାଇଛି। ଅନେକ ଆହତ ହୋଇଛନ୍ତି।  ସାମନ୍ତରାପୁର ନିକଟ ବିଶାଲ ସିଟିଠାରେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ନିଦ ଭାଙ୍ଗିଛି। ‘ଗୋ-ମଙ୍ଗଳ’ ଚିନ୍ତାକୁ ନେଇ ବିଏମ୍‌ସି ପରିସରରେ ମାନସମନ୍ଥନ କରାଯାଇଥିଲା। ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକ‌ରେ ସହରର ରାସ୍ତାକୁ ଗାଈଗୋରୁଙ୍କ କବଳରୁ ମୁକ୍ତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

publive-image source : google

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ମାର୍ଚ୍ଚ ମାସଠାରୁ ଗୃହପାଳିତ ପଶୁ (ଗୋରୁଗାଈ)ଙ୍କୁ ରାସ୍ତା ଉପରେ ଦେଖିଲେ ବିଏମ୍‌ସିର ସ୍କ୍ୱାଡ୍‌ ଧରି ନେବ। ତିନି ଦିନ ପାଇଁ କାଞ୍ଜିଆହୁଦାରେ ରଖାଯିବ। ଗାଈକୁ ମୁକୁଳାଇବାକୁ ଆସିଥିବା ମାଲିକଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରି ଛାଡ଼ି ଦିଆଯିବ। ତେବେ ଦ୍ୱିତୀୟଥର ପାଇଁ ଏଭଳି ଭୁଲ୍‌ ହେଲେ, ମାଲିକଙ୍କୁ ଆଉ ଗାଈଗୋରୁ ଫେରସ୍ତ କରାଯିବ ନାହିଁ। ବିଏମ୍‌ସି ପକ୍ଷରୁ ନିକଟସ୍ଥ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ହସ୍ତାନ୍ତର କରାଯିବ। ପୁରୀ, କଟକ, ଜଗତ୍‌ସିଂହପୁର, ଖୋର୍ଧା ଜିଲ୍ଲାରେ ଯେଉଁ ଏସ୍‌ଏଚ୍‌ଜିର ମୁଖ୍ୟ ବେଉସା ଗୋ-ପାଳନ ଥିବ, ସେମାନଙ୍କୁ ଏହି ଗାଈଗୋରୁ ହସ୍ତାନ୍ତର ହେବ। ସେମାନେ ତାହାର ଦେଖା‌ଶୁଣା କରିବେ। ବିଏମ୍‌ସି ଅଞ୍ଚଳରେ ଏବେ ପାଖାପାଖି ୧୨ହଜାର ଗାଈ ଗୃହପାଳିତ ପଶୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଣା ଭୁବ‌ନେଶ୍ବର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସବୁଠାରୁ ଅଧିକ ଗାଈ ରହିଛନ୍ତି। ପଳାସୁଣୀ ଓ ଖଣ୍ଡଗିରି ଅଞ୍ଚଳରେ ବି ପ୍ରାୟ ଏକ ହଜାର ଗାଈ ରହିଥିବା ସୂଚନା ଦିଆଯାଇଛି।

ବିଭିନ୍ନ ସମୟରେ କେତେକ ଗୃହପାଳିତ ପଶୁ ରାସ୍ତାରେ ବୁଲି ସମସ୍ୟା ସୃଷ୍ଟି କରୁଥିବା ନଜରକୁ ଆସିବା ପରେ ଏଭଳି ପଦକ୍ଷେପ ନେଇଛି ବିଏମ୍‌ସି। ବିଏମ୍‌ସି ଡେପୁଟି କମିସନର୍‌ ଶ୍ୟାମସୁନ୍ଦର ସେଠୀ କହିଛନ୍ତି ଯେ ଗୃହପାଳିତ ପଶୁଙ୍କୁ ବାରମ୍ବାର ଧରିବା, କାଞ୍ଜିଆହୁଦାରେ ରଖିବା, ଫାଇନ୍ ଆଦାୟ କରିବା ଓ ରାସ୍ତା ଅବରୋଧ ଭଳି ପରିସ୍ଥିତିରେ କିଛିଟା ସୁଧାର ଆସିବ। ଗୋ-ମଙ୍ଗଳକୁ ପ୍ରାଧାନ୍ୟ ଦେବା ଓ ପ୍ରାଣୀ ସମ୍ପଦକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଭବିଷ୍ୟତରେ ଷଣ୍ଢ ଓ ଗାଈମାନଙ୍କ ମଙ୍ଗଳ ନିମନ୍ତେ ବିଏମ୍‌ସିର ଜନସଚେତନତା ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe