ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

96

କନକ ବ୍ୟୁରୋ: ସ୍ଥଗିତ ରହିଲା ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ । ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତି ଆସିବା ଯାଏଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ବିଏମସି ବର୍ଦ୍ଧିତ ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ନିଷ୍ପତି ନେଇଥିଲା । ଏକ ବେଂଚ ମାର୍କ ମୂଲ୍ୟାୟନକୁ ଆଧାର କରି ଟ୍ୟାକ୍ସ ବୃଦ୍ଧି କରିଥିଲା । ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ଏହି ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ସରକାରଙ୍କ ଅବଗତ କରାଇଥିଲେ । ଯାହାକୁ ଆଧାର କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଯାଏଁ ବର୍ଦ୍ଧିତ ଟ୍ୟାକ୍ସକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଏମସିର ଏହି ନିଷ୍ପତ୍ତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଭୁବନେଶ୍ୱର କଂଗ୍ରେସ ପକ୍ଷରୁ ବିଏମସି ଅଫିସ ଆଗରେ ଧାରଣା ଦିଆଯାଇଥିଲା । କରୋନା କାଳରେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ହୋଲଡିଂ ଟିକସ ବୃଦ୍ଧି ରାଜଧାନୀବାସୀଙ୍କୁ ପ୍ରଭାବିତ କରିଛି ବୋଲି ପିସିିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କରୋନା ସାଙ୍ଗକୁ ଦରଦାମ ବୃଦ୍ଧି ଲୋକଙ୍କୁ ଅତିଷ୍ଟ କରିଥିବା ବେଳେ ବିଏମସିରେ ଏହି ଟିକସ ବୃଦ୍ଧି ମଧ୍ୟବିତ ଲୋକଙ୍କୁ ପ୍ରଭାବିତ କରିଛି । ତେଣୁ ଟିକସ କମାଯାଉ ବୋଲି କଂଗ୍ରେସ ଦାବି କରିଥିଲା ।