ସିଲ ହେଲା ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଟେକ ମହିନ୍ଦ୍ରା ଅଫିସ୍: ଗତ ୩ ଦିନରେ ଲଗାତର ୭ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଫିସକୁ ସିଲ କଲା ବିଏମସି

ଆସନ୍ତା ୨୦ ଯାଏ ୬୭ ଜଣଙ୍କୁ ହୋମ କ୍ୱାରେନଟିନରେ ରହିବାକୁ ନିର୍ଦ୍ଦେଶ

1,903

କନକ ବ୍ୟୁରୋ: ଭୁବନେଶ୍ୱର ମୈତ୍ରୀ ବିହାର ସ୍ଥିତ ଟେକ୍ ମହିନ୍ଦ୍ରାକୁ ସିଲ୍ କଲା ବିଏମସି । ଗତ ୩ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍ ମହିନ୍ଦ୍ରାକୁ ସିଲ୍ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ଆଜିଠାରୁ ପୁରା ବିଲଣ୍ଡିଂକୁ ସିଲ୍ କରାଯିବା ସହ ୨୦ତାରିଖ ଯାଏଁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬୭ଜଣ କର୍ମଚାରୀଙ୍କ ସ୍ୱାବ ପରିକ୍ଷା କରାଯିବା ପାଇଁ ବିଏମସି ନିଷ୍ପତି ନେଇଛି ।

ଏପଟେ, ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ଆଂଟିଜେନ୍ ଟେଷ୍ଟ । ପ୍ରଥମେ ଗଂଜାମ ଓ କଟକୁ ଫୋକସ କରାଯାଇଛି । କୌଣସି ବ୍ୟକ୍ତିଙ୍କ ଦେହରେ ନିର୍ଦ୍ଦିଷ୍ଟ ରୋଗକୁ ନେଇ କଣ ପ୍ରତିରୋଧକ ଶକ୍ତି ରହିଛି, ତାହା ଜାଣିବା ପାଇଁ ଏହି ଆଂଟିଜେନ ପରୀକ୍ଷା କରାଯାଏ । ଏବେ ଓଡିଶାରେ କେତେ ଜଣଙ୍କ ଦେହରେ କରୋନା ହୋଇ ଭଲ ହୋଇଯାଇଛି ତାହା ଜାଣିବା ପାଇଁ ଆଟିଂଜେନ ଟେଷ୍ଟ କରାଯାଏ । ପ୍ରଥମ ଦଫାରେ ୫ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିଛି । ଦ୍ୱିତୀୟ ଦଫାରେ ୨୦ ହଜାର ଆଂଟିଜେନ୍ ଟେଷ୍ଟିଂ କିଟ୍ ଆସିବ । ଆବଶ୍ୟକ ପଡିଲେ ରାଜ୍ୟକୁ ଆହୁରି ଆସିବ ଟେଷ୍ଟିଂ କିଟ୍ । ଏହି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ର ପତି୍ ।

୨ ହଜାର ୫ ଶହ କିଟ୍ ଗଂଜାମ ଜିଲ୍ଲାକୁ ଯାଇଛି । ଏହି କିଟ୍ ବ୍ୟବହାର କରି ମାତ୍ର ୪୫ ମିନିଟ୍ ଭିତରେ ଜଣାପଡିବ ସଂକ୍ରମିତ କୋଭିଡ ୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ନା ନୁହଁନ୍ତି । ତେବେ ବର୍ତମାନ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଆଂଟିଜେନ ଟେଷ୍ଟ ଦ୍ୱାରା ଜଣାପଡିବ ନାହିଁ । ପୂର୍ବରୁ ସେ ଏଥିରେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଜଣାପଡିବ । ଏହାର ସବୁଠାରୁ ବଡ଼ ଲାଭ ହେଉଛି,- ଜନସଂଖ୍ୟାର କେତେ ଭାଗକୁ ମହାମାରୀ ବ୍ୟାପିଛି ତାହା ଜଣାପଡିଯିବ । ଏହା ଛଡା ସେହି ଅଂଚଳରେ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତିର ଶକ୍ତି ବିଷୟରେ ମଧ୍ୟ ଆକଳନ କରାଯାଇପାରିବ ।