କନକ ବ୍ୟୁରୋ : ପ୍ରସ୍ତୁତ ହେଲାଣି ଯଜ୍ଞସ୍ଥଳ । ସଜେଇ ହେଲାଣି ଖଣ୍ଡଗିରି । ଶୁକ୍ରବାର ୧୬ ତାରିଖରୁ ୨୫ ତାରିଖ ୯ ଦିନ ଯାଏଁ ଚାଲିବ ଖଣ୍ଡଗିରି ମାଘମେଳା । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ବଢିଲାଣି ଗହଳିଚହଳି । ବୁଧବାରଠାରୁ ଦେଶର ବିଭିନ୍ନ ସ୍ଥାନରୁ ଶହେରୁ ଅଧିକ ସାଧୁସନ୍ଥ ଆସି ଖଣ୍ଡଗିରି ପାହାଡରେ ଆସ୍ଥାନ ଜମାଇଲେଣି । ସାଧୁମୟ ହୋଇଛି ଖଣ୍ଡିଗିରି । ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି । ଶୁକ୍ରବାରଠାରୁ ଅଖଣ୍ଡ ଧୁନି ଜଳିବ । ମା ବାରଭୁଜାଙ୍କ ପୀଠରେ ରାମଚରିଚ ମାନସପରାୟଣ ହେବ । ପଂଚତୀର୍ଥ ପୁଷ୍କରିଣୀରେ ସାଧୁସନ୍ଥ ବୁଡ ପକାଇବେ ।

Advertisment

ଖଣ୍ଡଗିରି କୁମ୍ଭମେଳାର ରାଜ୍ୟର ୧୨ଟି ପ୍ରମୁଖ ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବେ । ୧୮ ତାରିଖରୁ ୨୯ ତାରିଖ ଯାଏଁ ଯାତ୍ରାଯୁଦ୍ଧ ହେବ । ଏଥର ୮ଟି ମଇଦାନରେ ୧୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ପରିବେଷଣ କରିବେ । ଏଥିପାଇଁ ପେଣ୍ଡାଲ ପ୍ରସ୍ତୁତି ଚାଲିଛି । ଖଣ୍ଡଗିରିରେ ଯାତ୍ରାଯୁଦ୍ଧ ପାଇଁ ଚାରିଆଡେ ପୋଷ୍ଟର ଛାଇଗଲାଣି । ପ୍ରତ୍ୟେକ ବର୍ଷ କୌଣସି ନା କୌଣସି କାରଣରୁ ଯାତ୍ରାକୁ ନେଇ ବିବାଦ ସୃଷ୍ଟି ହେଉଥିବାକୁ ଏଥର କଡା ନିର୍ଦ୍ଦେଶନାମା ଜାରି କରିଛି ପ୍ରଶାସନ ।

-ଯାତ୍ରା ପାର୍ଟିରେ ଏଥର ଅଶ୍ଲୀଳ ନାଚ ହୋଇପାରିବ ନାହିଁ
- ଏଭଳି କଲେ ଅଧାରୁ ଯାତ୍ରାକୁ ବନ୍ଦ କରିବ ପ୍ରଶାସନ
-କାହାର ଭାବନାକୁ ଆଘାତ ଦେଲାଭଳି ନାଚ ପ୍ରଦର୍ଶନ ହୋଇପାରିବ ନାହିଁ
-ବିଏମସି, ପୁଲିସ ମିଳିତ ଟିମ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବେ
-ଯାତ୍ରାପାର୍ଟି ନଗ୍ନତାଙ୍କୁ ପ୍ରଶୟ ଦେଲେ ଫାଇନ ଆଦାୟ ହେବ

ରାଜ୍ୟର ସବୁଠାରୁ ପ୍ରସିଦ୍ଧ ମେଳା କୁହାଯାଉଥିବା ଖଣ୍ଡଗିରି ମେଳାରେ ଲକ୍ଷାଧିକ ଲୋକ ଆସିବେ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ସବୁବର୍ଷ ଭଳି ଏଥର ବି ଯାତ୍ରା କମିଟି ପ୍ରଶାସନର ନିର୍ଦ୍ଦେଶକୁ କେତେ ମାନିବେ ସେ ଉପରେ ସମସ୍ତଙ୍କ ନଜର ରହିଛି ।