କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୧ଟି ମୃତଦେହର ଶେଷକୃତ୍ୟ ହୋଇଛି । ଭୁବନେଶ୍ୱର ଭରତପୁରରେ ଅନ୍ତିମ ସଂସ୍କାର କରାଯାଇଛି । ରାତି ସାରା ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ଅବଶିଷ୍ଟ ମୃତଦେହ ଦାହ କରାଯିବ ବୋଲି ଜଣାପଡ଼ିଛି । ୪ ମାସ ତଳେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନଥିଲା ।

Advertisment

ଆଉ ପରିିଚୟ ଖୋଜିବାର ସମସ୍ତ କସରତ ସରିଯିବା ପରେ ଅନ୍ତିମ ସଂସ୍କାର କରିଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ହିଁ ନଥିଲା । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ଏମ୍ସରେ ପହଞ୍ଚିଥିଲେ । ଏମ୍ସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲାଯାଇଥିଲା । ଏହା ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଭରତପୁର ଶ୍ମଶାନରେ ଶବ ସଂସ୍କାର କରିବା ପୂର୍ବରୁ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ସମସ୍ତ ମୃତଦେହର ଡିଏନ୍ଏ ନମୁନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ଯଦି କୌଣସି ମୃତକଙ୍କ ପରିବାର ଲୋକ ଅଭିଯୋଗ କରନ୍ତି, ତେବେ ନମୁନା ସହ ଡିଏନଏ ମ୍ୟାଚ୍ କରାଯିବ ।

ରେଳ ବିଭାଗର ସୂଚନା ଅନୁସାରେ, ବାହାନଗା ଦୁର୍ଘଟଣାରେ ୨୯୭ ବ୍ୟକ୍ତିଙ୍କ ଅମୂଲ୍ୟ ଜୀବନ ନେଇଥିଲା । ଏଥିରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୃତ୍ୟୁବରଣ କରିଥିବା ୬ ଜଣ ସାମିଲ ଅଛନ୍ତି। ‌ବିଶ୍ବ ରେଳ ଇତିହାସରେ ସବୁଠାରୁ ଲୋମହର୍ଷକ ଦୁର୍ଘଟଣା ଭିତରୁ ଏହା ଅନ୍ୟତମ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାସ୍ଥଳ ଯିଏ ନ ଦେଖିଛି ସେ ଅନୁମାନ ମଧ୍ୟ କରିପାରିବ ନାହିଁ। ସବୁଠି କ୍ଷତାକ୍ତ ଶରୀର ଏବଂ ଆର୍ତ୍ତ ଚିତ୍କାର । ଏସବୁ ମଧ୍ୟରେ କିଛି ବ୍ୟକ୍ତି ଘଟଣା ସ୍ଥଳରୁ ନିଜ ପରିଜନଙ୍କୁ ଚିହ୍ନଟ କରି ନେଇଯାଇଥିଲେ ।

କିନ୍ତୁ ଆହୁରି ୧୬୨ ମୃତ ଶରୀର ରହିଯାଇଥିଲା, ଯାହାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏମ୍‌ସକୁ ଅଣାଯାଇଥିଲା । ଏମ୍‌ସ ଆନାଟୋମି ଏବଂ ଫରେନସିକ ବିଭାଗର ମିଳିତ ପ୍ରୟାସରେ ଡାକ୍ତରୀ ଦଳ ଏହାକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ କରି ରଖିଲେ । ଏମ୍‌ସ, ବିଏମ୍‌ସି, ରେଳବାଇ ଏବଂ ପୁଲିସ ସହାୟତାରେ ୮୧ଟି ଶବ ପରିବାର ଲୋକଙ୍କୁ ହସ୍ତାନ୍ତରିତ ହୋଇଥିଲା। ଡିଏନ୍‌ଏ ରିପୋର୍ଟ ପରେ ଆଉ ୫୩ ଶବଙ୍କୁ ତାଙ୍କ ପରିଜନ ଆସି ନେଇଗଲେ । କିନ୍ତୁ ୨୮ଶବ ରହିଗଲା, ଯାହାଙ୍କ ପରିଚୟ କିମ୍ବା ପରିଜନ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିଲା ନାହିଁ ।