ସଂକ୍ରମଣକୁ ଦେଖି ବିଏମସିର ନୂଆ ମାର୍ଗଦର୍ଶିକା । ଏଣିକି ବିବାହରେ କେବଳ ୧୦୦, ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।

146

କନକ ବ୍ୟୁରୋ: ଭୁବନେଶ୍ୱରରୁ ବଢୁଥିବା ସଂକ୍ରମଣକୁ ଦେଖି ନୂଆ ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ରାଜଧାନୀରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ତେଣୁ ଏଭଳି ସମୟରେ ସମସ୍ତ ପ୍ରକାର କନଫରେନ୍ସ,କନକ୍ଲେଭକୁ ଆୟୋଜନ କରିବାକୁ ମନା କରାଯାଇଛି । ତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି । ଅନ୍ୟପଟରେ ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇପାରିବନି । ଉପରୋକ୍ତ ସମସ୍ତ କଟକଣା ଆସନ୍ତା ଏପ୍ରିଲ ୬ ତାରିଖରୁ ଲାଗୁ ହେବାକୁ ଯାଉଛି ବୋଲି ବିଏମସି ନିର୍ଦ୍ଦେଶନାମା ଜାରି କରିଛି ।

ଗତ କିଛି ଦିନ ହେଲା ଭୁବନେଶ୍ୱରରେ ସଂକ୍ରମଣ ବଢିବାରେ ଲାଗିଛି । କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ବିଏମସି ତରଫରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।