ଭୁବନେଶ୍ୱରରେ ପୁଣି ବଢ଼ିଲା କରୋନା କଟକଣା : ଆଜିଠାରୁ ଲାଗୁ ହେବ ନିୟମ; ଟେଂଟ ସଂଘର ବିରୋଧ

ବିବାହ-ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି; ଶୀତ ଦିନ ପାଇଁ କଟକଣା ଲଗାଇଲା ବିଏମସି

229

କନକ ବ୍ୟୁରୋ : ଶୀତଦିନ ପାଇଁ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ଜଣ ସାମିଲ ହୋଇପାରିବେ । ସଂକ୍ରମଣ କମ କରିବାକୁ କଟକଣାକୁ ଆହୁରି କଡାକଡି କରିଛି ବିଏମସି । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ରେ ସୀମିତ ରଖିବାକୁ ଆୟୋଜକ ଓ କଲ୍ୟାଣ ମଣ୍ଡପକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କୋଭିଡ ଭଳି ଲକ୍ଷଣ ଥିଲେ ଏହି ଉତ୍ସବ ଗୁଡିକରେ ସମ୍ପୃକ୍ତ ବ୍ୟକ୍ତି ସାମିଲ ହୋଇପାରିବେ ନାହିଁ । ସେହିପରି ବିବାହ ଓ ବ୍ରତଘର ଆୟୋଜନ କରିବା ପୂର୍ବରୁ ବିଏମସିର ଅନୁମତି ନେବା ଜରୁରୀ ।

ଏସ୍‌ଓପି ମୁତାବକ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏଭଳି ଉତ୍ସବ ଆୟୋଜନ କରିବାକୁ ହେ‌ଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ସ୍ବୀକୃତି ନେବାକୁ ପଡ଼ିବ। ସ୍ବୀକୃତି ନେବା ସମୟରେ ଉତ୍ସବରେ ୫୦ ଲୋକ ଯୋଗ ଦେବେ ବୋଲି ସ୍ପଷ୍ଟ କରିବାକୁ ହେବ। ଉତ୍ସବ ହେଉଥିବା ଜାଗାର ୫୦ପ୍ରତିଶତ ବ୍ୟବହାର ହେବ, ବାକି ୫୦ପ୍ରତିଶତ ଚଳପ୍ରଚଳ ପାଇଁ ଫାଙ୍କା ରହିବ। ପ୍ରତ୍ୟେକଙ୍କ ଭିତରେ ଯେଭଳି ୬ଫୁଟ୍‌ର ବ୍ୟବଧାନ ରହିବ, ସେ ନେଇ ଆୟୋଜକ ନିଶ୍ଚିତ କରିବେ । ବୟସ୍କ, ଗର୍ଭବତୀ, ଶିଶୁ ତଥା ଅନ୍ୟାନ୍ୟ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି ଉତ୍ସବରେ ଯୋଗ ଦେଇପାରିବେ ନାହିଁ । ଉତ୍ସବର କୌଣସି ସ୍ଥାନରେ ପାନଛେପ ପକାଇବେ ନାହିଁ ।

କେବଳ ଖାଇବା ସମୟ ଛଡ଼ା ଅତିଥିମାନେ ସବୁବେଳେ ମାସ୍କ ପିନ୍ଧିବେ । ଆୟୋଜକ ପ୍ରବେଶ ସ୍ଥାନରେ ଯଥେଷ୍ଟ ପରିମାଣରେ ସାନିଟାଇଜର୍‌ ଓ ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରିବେ। ଏହି ସବୁ ଉତ୍ସବସ୍ଥଳକୁ ନିୟମିତ ବିଏମ୍‌ସି ଓ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଏନ୍‌‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପରିଦର୍ଶନ କରିବେ। ଚଢ଼ଉ ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେବା ନଜରକୁ ଆସିଲେ, ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ବିଏମସିର ଗାଇଡ ଲାଇନକୁ ଭୁବନେଶ୍ୱର ଟେଂଟ, କ୍ୟାଟେରିଙ୍ଗ ସଂଘ ପକ୍ଷରୁ ବିରୋଧ କରାଯାଇଛି । ବିଏମସି ନିଷ୍ପତ୍ତିର ପୁନଃବିଚାର କରିବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି ।