କନକ ବ୍ୟୁରୋ: ବିଏମସିକୁ ଘାରିଛି ରାଜସ୍ୱ ଆଦାୟ ଚିନ୍ତା । ଯେଉଁମାନେ ବାସଗୃହ ନାଁରେ ଘର ତିଆରି କରି ବ୍ୟବସାୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ଅନେକ ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି ବୋଲି ଅଭିଯୋଗ ରହିଛି । ଅନ୍ୟପଟେ ଲୋକେ କହୁଛନ୍ତି ଟିକସ କିଭଳି ଦିଆଯିବ ତାର ତରିକା ଜଣାନାହିଁ । ସଚେତନ ଓ ଯୋଗାଯୋଗ କରୁନାହିଁ ପ୍ରଶାସନ ।
- ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ
- ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି
- କେଉଁଠି ରହୁଛି ଭୁଲ୍?
- କାହିଁକି ବକେୟା ପଡୁଛି ଟିକସ?
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲୋକ ଘର କରୁଛନ୍ତି । ବାସଗୃହ ପାଇଁ ପଞ୍ଜିକୃତ ବି କରିଛନ୍ତି । ହେଲେ ସେଠି ରହିବା ବଦଳରେ ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଯାହାକୁ ନେଇ କୋଠର ହୋଇଛି ବିଏମସି । ଯେଉଁମାନେ ଟିକସ ଫାଙ୍କିବା ପାଇଁ ଏଭଳି କରୁଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି କହିଛନ୍ତି ବିଏମସି କମିଶନର । କିନ୍ତୁ ଟିକସ ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଛି ବିଏମସି । ସେଇ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି । ବିଏମସିରେ ରାଜସ୍ୱ ୧୧୫ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖି ଥିବା ବେଳେ ଆଦାୟ ହୋଇଛି କେବଳ ଏହାର ମାତ୍ର ୨୬% । ଅର୍ଥାତ୍ ୧୧୫ କୋଟିରୁ କେବଳ ୨୯ କୋଟି । ରାଜସ୍ୱ ଆଦାୟ ପାଇଁ ବିଏମସି ପକ୍ଷରୁ କିଛି ପଦକ୍ଷେପ ନିଆଯାଇଛି । ଯେମିତି କି.....
- ରାଜସ୍ୱ ବକେୟା ଥିବା ଅନୁଷ୍ଠାନ ଓ ଗୃହକୁ ୧୫ ତାରିଖ ସୁଦ୍ଧା ନୋଟିସ ପଠାଇବ ବିଏମସି
- ବାସଗୃହ ପଞ୍ଜିକରଣ କରାଇ ବ୍ୟବସାୟ ପ୍ରତିଷ୍ଠାନ ଚଲାଉଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ହୋଲ୍ଡିଂ ଟ୍ୟାକ୍ସ ଦେବା ପାଇଁ ବୁଲିବ ସଚେତନ ରଥ
- ଅନଲାଇନ ଓ ଅଫଲାଇନ ଉଭୟ ମାଧ୍ୟମରେ ପୈଠ କରିପାରିବେ ଟିକସ
ତେବେ ପ୍ରଶ୍ନ ହେଉଛି, ଏତେ ମୋଟା ଅଙ୍କର ଟିକସ ବକେୟା ରହୁଛି କେମିତି? ଏତେ ଦିନ ଧରି କାହିଁକି ନିଆଯାଇ ପାରିଲା ନାହିଁ କାର୍ଯ୍ୟାନୁଷ୍ଠାନ? ବଡ଼ କଥା ହେଉଛି ଗୋଟେ ପଟେ ଟିକସ ଆଦାୟ ପାଇଁ ବିଏମସି ତତ୍ପର ହେଉଥିବା ବେଳେ ଆଉ ଗୋଟିଏ ପଟେ ବ୍ୟବସାୟୀ କହୁଛନ୍ତି, ଟିକସ ଆଦାୟ ସମ୍ପର୍କରେ କୌଣସି ଯୋଗାଯୋଗ କରାଯାଉନାହିଁ ।
ତେବେ ଟିକସ ଆଦାୟକୁ ନେଇ ବିଏମସିର ନିୟମକୁ ଲୋକ ସ୍ୱାଗତ କରୁଥିଲେ ମଧ୍ୟ ଏଥିରେ କୋହଳ ଆଭିମୁଖ୍ୟ ଗ୍ରହଣ ପାଇଁ କିଛି ବ୍ୟବସାୟୀ ଦାବି କରିଛନ୍ତି । ବ୍ୟବସାୟୀଙ୍କ ହାତରେ ଏବେ ପ୍ରାୟ ଦୁଇ ସପ୍ତାହ ସମୟ । ଠିକ୍ ସମୟରେ ଟିକସ ପୈଠ ଦିଗରେ ଆଗକୁ ନବଢ଼ିଲେ, ବିଏମସି କାର୍ଯ୍ୟାନୁଷ୍ଠାର ସାମ୍ନା କରିବାକୁ ପଡ଼ିପାରେ ।
Follow Us