ଏଣିକି ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା : କୋଭାକ୍ସିନ୍ ଅଭାବ ଦୁର ପାଇଁ ବିକଳ୍ପ  ଚିନ୍ତା କରୁଛି ବିଏମସି

226

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍ ଟିକାର ଘୋର ଅଭାବ ଦେଖାଦେଇଛି । ଲୋକେ ମେ’ ପ୍ରଥମ ସପ୍ତାହରେ ଟିକାର ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜକୁ ଅନାଇ ବସିଛନ୍ତି । କୋ-ୱିନ୍ ପୋର୍ଟାଲରେ ସ୍ଲଟ ବୁକ କରିବା ସମ୍ଭବ ହେଉନାହିଁ । ତେଣୁ ୧୮ରୁ ୪୪ ବର୍ଷର ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଆଉ ଏହାରି ଭିତରେ ଟିକାର ଆଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି ବିଏମସି ।

ଅର୍ଥାତ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଏଣିକି କେବଳ କୋଭାକ୍ସିନ ପରିବର୍ତ୍ତେ କୋଭିସିଲ୍ଡ ଟିକା ଦେବାକଥା ଚିନ୍ତା କରାଯାଉଛି । ଏଥିପାଇଁ ଟିକାକରଣ ବାବଦରେ ନିଷ୍ପତ୍ତି କରୁଥିବା ରାଜ୍ୟ ସରକାରଙ୍କ କମିଟି ନିଷ୍ପତି କଲେ ଖୁବଶୀଘ୍ର ଏହା ରାଜଧାନୀରେ କାର୍ଯ୍ୟକାରୀ କରାଯାଇପାରେ । ଆଗାମୀ ଦୁଇଦିନରେ ରାଜ୍ୟକୁ ୨୬ ହଜାର ଡୋଜ୍ କୋଭାକ୍ସିନ୍ ଟିକା ଏବଂ ୨ ଲକ୍ଷ ୨୭ ହଜାର କୋଭିସିଲ୍ଡ ଟିକା ଆସିବାକୁ ଯାଉଛି । ତେବେ ପ୍ରଥମ ଡୋଜ୍ ଟିକା ନେଇଥିବା ରାଜଧାନୀବାସୀଙ୍କୁ କୋଭାକ୍ସିନ ଟିକା ଦିଆଯିବ ।

ତେଣୁ ଆବଶ୍ୟକ ମୁତାବକ କୋଭାକ୍ସିନ ଟିକା ନମିଳିଲେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋଭିସିଲ୍ଡ ଟିକା ଦେବାକୁ ନିଷ୍ପତି କରିପାରନ୍ତି ସରକାର । ସେହିପରି କେନ୍ଦ୍ର ସରକାର ଦେଉଥିବା କୋଟାରୁ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକା ବ୍ୟବହାର ହେଉଛି । ଏହାକୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ବ୍ୟବହାର କରିବାକୁ କେନ୍ଦ୍ରକୁ ଅନୁମତି ମାଗିଛି ରାଜ୍ୟ । ଯଦି କେନ୍ଦ୍ରରୁ ଏଥିପାଇଁ ଅନୁମତି ନମିଳେ, ତେବେ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିସିଲ୍ଡ ଟିକା ଦିଆଯାଇପାରେ ।