ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।

70

କନକ ବ୍ୟୁରୋ : ଆଉ ମାତ୍ର ୧୦ ଦିନ ପରେ ଖଣ୍ଡଗିରି ମେଳା । ହେଲେ , ଚଳିତ ବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ସେ ନେଇ ସସପେନ୍ସ ଜାରି ରହିଛି । ଆୟୋଜକ, ଯାତ୍ରାପାର୍ଟି ମାଲିକ ଓ କଳାକାର ଯାତ୍ରା କରିବାକୁ ଅନୁମତି ଦେବାକୁ ନିବେଦନ କରୁଥିବାବେଳେ ପ୍ରଶାସନ କୌଣସି ଚୂଡାନ୍ତ ନିଷ୍ପତି ନେଇପାରି ନାହିଁ ।

ଖଣ୍ଡଗିରି ମେଳାରେ ଯାତ୍ରା ପରିବେଷଣ କରିବା ପାଇଁ ଜୋରସୋରରେ ଚାଲିଛି ରିହର୍ସାଲ । ଯାତ୍ରା ମଂଚରେ କିଭଳି ନିଖୁଣ ଅଭିନୟ କରିପାରିବେ ସେଥିପାଇଁ ଦିନରାତି ଏକ କରିଦେଇଛନ୍ତି କଳାକାର । ହେଲେ, ଚଳିତ ବର୍ଷ ଯାତ୍ରା ହେବ କି ନାହିଁ, ସେନେଇ ଲାଗି ରହିଛି ଅନିଶ୍ଚିତତା । ଆୟୋଜକଙ୍କ ପକ୍ଷରୁ କୋଭିଡ୍ କଟକଣା ମାନି ଯାତ୍ରା କରିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିଲେ, ମଧ୍ୟ ବିଏମସି କୌଣସି ଚୂଡାନ୍ତ ନିଷ୍ପତି ନେଇପାରିନି ।

କମିଶନର, କହିଛନ୍ତି ପୂର୍ବ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ଅନୁମତି ଦେଲେ ଦୈନିକ ୫୦ହଜାର ଲୋକଙ୍କ ସମାଗମ ହେବାର ଆକଳନ କରାଯାଉଚି । କୋରନା କଟକଣା ଯୋଗୁ ଏଠାରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ । ତେବେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଯାତ୍ରା ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

କୋଭିଡ୍ କଟକଣା ପାଇଁ ପ୍ରାୟ ୧୦ ମାସ ହେବ ଯାତ୍ରା ବନ୍ଦ ରହିଛି । ଯାତ୍ରା ବନ୍ଦ ଯୋଗୁଁ ଉଜୁଡି ଯାଇଛି କଳାକାରଙ୍କ ରୋଜଗାର । କରୋନା କମି କମି ଆସୁଥିବାରୁ ଓ କଳାକାରଙ୍କ ପେଟପାଟଣାର କଥା ହୋଇଥିବାରୁ, ଖଣ୍ଡଗିରି ମେଳାକୁ ଅନୁମତି ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି କଳାକାର ।

ଖଣ୍ଡଗିରି ଯାତ୍ରାକୁ ନେଇ ବେଶ୍ ଆଶାବାଦୀ ଥିଲେ ଯାତ୍ରା ପାର୍ଟି ମାଲିକ । ଭାବିଥିଲେ, ହଲ, ମଲ, ସବୁ କିଛି ଖୋଲି ଯାଇଥିବାରୁ ଏଥର ଯାତ୍ରା ପାଇଁ ଅନୁମତି ଦେବେ ସରକାର । କିନ୍ତୁ, ସରକାର ଯେଉଁଭଳି ପ୍ରସ୍ତାବ ଦେଉଛନ୍ତି, ତାକୁ ନେଇ ଚିନ୍ତାରେ ପଡିଛନ୍ତି ।
ଯାତ୍ରା ଉପରେ ହଜାର ହଜାର କଳାକାରଙ୍କ ସହ ବହୁ ସଂଖ୍ୟାରେ ଶ୍ରମିକ ଓ ବ୍ୟବସାୟୀଙ୍କ ଜୀବନ ଜୀବିକା ନିର୍ଭର କରୁଛି । ଏସବୁକୁ ନଜରରେ ରଖି ଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ବଢ଼ିବାରେ ଲାଗିଛି ।