୩ୟ ପର୍ଯ୍ୟାୟ ତାଲାବନ୍ଦରେ କଣ ବନ୍ଦ, କଣ ରହିବ ଖୋଲା? ବିଏମସି ଓ ସିଏମସି ପକ୍ଷରୁ ଗାଇଡଲାଇନ ଜାରି: ଖୋଲିବ ପରିବା ଦୋକାନ, ଚାଲିବ ନିର୍ମାଣ କାମ; ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଭଳି କଟକଣା

ଖୋଲିବନି ହୋଟେଲ, ଥ୍ରୀଏଟର କି ସିନେମା ହଲ

612

କନକ ବ୍ୟୁରୋ: ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ପାଇଁ ଗାଇଡଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଲକଡାଉନ ମେ ୧୭ ତାରିଖ ଯାଏଁ ବଳବତର ରହିବ । ଏହି ତାଲାବନ୍ଦ ସମୟରେ କଣ ଖୋଲା ରହିବ କଣ ବନ୍ଦ ରହିବ ସେ ନେଇ ଗାଇଡ ଲାଇନ ଜାରି କରିଛି ବିଏମସି । ଅତ୍ୟାବଶ୍ୟକ ସାମଗ୍ରୀ, ଶିଳ୍ପ ଉଦ୍ୟୋଗ, ମାଲ ପରିବହନ, ଔଷଧ, ଚିକିତ୍ସା ସମ୍ବନ୍ଧୀୟ ଉପକରଣ, ନିର୍ମାଣ କାମ ବିଏମସି ପରିସରରେ ଚାଲିପାରିବ । ସେହିପରି ୪ ଚକିଆ ଯାନରେ ଡ୍ରାଇଭର ସହ ୨ଜଣ ଯାଇପାରିବେ । ଦୁଇ ଚକିଆ ଯାନରେ ଦୁଇ ଜଣ ବସିବା ମନା । ଓଲା, ଉବେର ରୋଗୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ନେଇ ପାରିବେ । ଘରୋଇ କାର୍ଯ୍ୟାଳୟରେ ୩୩ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ମେଡିକାଲ ସର୍ଭିସ, ଏୟାର ଆମ୍ବୁଲାନ୍ସ, ନିରାପତା ସଂପର୍କିତ କାର୍ଯ୍ୟରେ ବିମାନ ଚଳାଚଳ କରିବ ।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ନେଇ ମଧ୍ୟ ବିମାନ ଚଳାଚଳ କରିପାରିବ । ବିଏମସି ପରିସରରେ ବସ ଚଳାଚଳ କରିିବ ନାହିଁ । ରିକ୍ସା, ଅଟୋ, ଟ୍ୟାକ୍ସି ଚଳାଚଳ ଉପରେ କଟକଣା । ତେବେ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ନେଇ ମେଡିକାଲ ଯାଇ ପାରିବେ । ସ୍କୁଲ, କଲେଜ, ଟ୍ରେନି ସେଂଟର, କୋଚିଂ ସେଂଟର ବନ୍ଦ ରହିବ । ଅନଲାଇନ ଶିକ୍ଷାଦାନ ପାଇଁ ଅନୁମତି ରହିଛି । ସେହିପରି ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ, ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଉପରେ କଟକଣା । ସମସ୍ତ ପ୍ରକାର ଧାର୍ମିକ ପୀଠ, ମନ୍ଦିରରେ ସାଧାରଣ ଲୋକ ପୂଜାପାଠକୁ ମନା । ସିନେମା ହଲ, ଜିମ୍ନାସିୟମ, ଗେମ ପାର୍ଲର, ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ସୁଇମିଂ ପୁଲ,ପାର୍କ,ଥ୍ରୀଏଟର, ବାର, ଅଡିଟୋରିୟମ ହଲ ବନ୍ଦ ରହିବ । ସପିଂ ମଲ, ମାର୍କେଟ କଂପ୍ଲେକ୍ସ ବନ୍ଦ ରହିବ । ସେଲୁନ, ସ୍ପା, ବ୍ୟୁଟି ପାର୍ଲର, ମସାଜ ସେଂଟର, ପାନ ଦୋକାନ, ଚାହା ଦୋକାନ, ଫାଷ୍ଟଫୁଡ ଓ ଟିଫିନ ଷ୍ଟଲ ଖୋଲିବା ଉପରେ ବିଏମସି କଟକଣା ଜାରି କରିଛି ।

କୌଣସି ଦୋକାନରେ ଗୋଟିଏ ସମୟରେ ୫ରୁ ଅଧିକ ଲୋକ କିଣାକିଣି କରିପାରିବେ ନାହିଁ । ଦୋକାନ ଆଗରେ ସାମାଜିକ ଦୂରତା ରକ୍ଷା କରିବା ଓ ଦୋକାନୀ ସହ ଗ୍ରାହକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପନିପରିବା ଦୋକାନ ଖୋଲା ରହିବ । ଏହାଛଡା ରାତିରେ ଘରୁ ବାହାରିବା ଉପରେ ଲାଗିଲା କଟକଣା । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । କେବଳ ଅତ୍ୟାବଶ୍ୟକ କାମରେ କୌଣସି ବ୍ୟକ୍ତି ବାହାରକୁ ବାହାରିପାରିବେ । ସେହିପରି ଜରୁରୀକାଳିନ ସେବାରେ ଥିବା ବ୍ୟକ୍ତି ବାହାରକୁ ଯାଇପାରିବେ ।

ସେହିପରି କଟକ ମହାନଗର ନିଗମ ମଧ୍ୟ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ନେଇ ଗାଇଡ ଲାଇନ ଜାରି କରିଛି । ଗତ ୩ ତାରିଖରେ ଜାରି କରିଥିବା ଗାଇଡଲାଇନରେ ଆଂଶିକ ପରିବର୍ତନ କରିଛି ସିଏମସି । ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକ ସେ ହୋଲ ସେଲର ହୁଅନ୍ତୁ ବା ରିଟେଲର ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲି ପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ । ସେହିପରି ସିଟ ସଂଖ୍ୟାର ପଚାଶ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିପାରିବ । ତେବେ ଅରେଞ୍ଜ ଜୋନ କିମ୍ବା ରେଡ ଜୋନରେ ବସ ପଶି ପାରିବ ନାହିଁ । ଗ୍ରୀନଜୋନରେ ଚଳାଚଳ କରୁଥିବା ବସଗୁଡିକ ରୁଟ ପରମିଟ୍, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫିଟନେସ ସାର୍ଟିଫିକେଟ, ପ୍ରଦୂଷଣ ପ୍ରମାଣପତ୍ର ଓ ବୀମା ରଖିବା ଆବଶ୍ୟକ । ଏସବୁ ନିୟମର ଉଲ୍ଲଂଘନ ହେଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।