ଆସନ୍ତାକାଲି ପଡୁଛି ଅନନ୍ତ ବ୍ରତ । ଗାଇଡଲାଇନ୍ ଆଣିଲା ଭୁବନେଶ୍ୱର ମହାନଗର ନିଗମ । 

228

କନକ ବ୍ୟୁରୋ: ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି । ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ଅନନ୍ତ ବ୍ରତ ପଡୁଥିବାରୁ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗାଇଡଲାଇନ୍ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର କହିବା ମୁତାବକ, ପାର୍ବଣ ଋତୁ ପାଇଁ  ସରକାର ନିୟମ ଜାରି କରିଛନ୍ତି । ହେଲେ ଆସନ୍ତାକାଲି ଅନନ୍ତ ବ୍ରତ ସକାଶେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ । ଯାହା ଫଳରେ କୋଭିଡ୍ ନିୟମ ଭଙ୍ଗ ହେବା ସହିତ ସଂକ୍ରମଣ ମଧ୍ୟ ବଢିପାରେ ।

ଏହାକୁ ଆଖି ଆଗରେ ରଖି ବିଏମସି ଅନନ୍ତ ବ୍ରତ ପାଇଁ ଏହି ଗାଇଡଲାଇନ୍ ଆଣିଛି । ଏଥିରେ କୁହାଯାଇଛି ଯେ, ଅନନ୍ତ ବ୍ରତରେ ମନ୍ଦିରରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ହୋଇପାରିବ ନାହିଁ । ତା ସହିତ କେବଳ ମନ୍ଦିରର ପୂଜକମାନଙ୍କୁ ନେଇ ବିଧି ପାଳନ ହେବ । ତତ୍ ସହିତ ମନ୍ଦିରରେ କୋଭିଡ୍ କଟକଣା ମଧ୍ୟ କଡାକଡି ଭାବେ ପାଳନ ହେବ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ଅନ୍ୟପଟେ ମନ୍ଦିରରେ କେବଳ ସେହି ପୂଜକ ପ୍ରବେଶ କରିପାରିବେ, ଯେଉଁମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବ । ଅର୍ଥାତ ଡବଲ ଡୋଜ୍ ଟିକା ନେଇଥିବା ପୂଜକ ହିଁ ମନ୍ଦିରରେ ପ୍ରବେଶ କରି ପୂଜା ବିଧି ପାଳନ କରିବେ । ତାଙ୍କ ସହିତ ଅନ୍ୟ କେହି ଭକ୍ତ ମନ୍ଦିର ପ୍ରବେଶ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ମନ୍ଦିର ପ୍ରଶାସନ ମଧ୍ୟ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଧ୍ୟାନ ରଖିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।