କରୋନା ସଂକ୍ରମଣକୁ ନେଇ ବିଏମସିକୁ ଘାରିଲାଣି ବସ୍ତି ଚିନ୍ତା । ଘରକୁ ଘର ବୁଲି କରାଯାଉଛି ସର୍ଭେ । ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରୁଛନ୍ତି ଅଙ୍ଗନୱାଡି କର୍ମୀ

115

କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଭୁବନେଶ୍ୱରର ବସ୍ତିକୁ ନେଇ ବିଏମସିର ଚିନ୍ତା ବଢିଛି । କରୋନାର ପ୍ରଥମ ଲହରରେ ରାଜଧାନୀର ବିଭିନ୍ନ ବସ୍ତି ଯେଭଳି ହଟସ୍ପଟ୍ ପାଲଟିଥିଲା ତାହାକୁ ନେଇ ଦ୍ୱିତୀୟ ଲହର ବେଳେ ସଜାଗ ହୋଇଛି ବିଏମସି । କାରଣ ବସ୍ତିଗୁଡିକରେ ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ପୁରା ଭୁବନେଶ୍ୱରର ସ୍ଥିତି ବିଗିଡିଯିବ ।

ଏହାକୁ ନଜରରେ ରଖି ବିଏମସି ଏବେ ବସ୍ତି ମାନଙ୍କ ଉପରେ ଫୋକସ୍ କରିଛି । ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଏବେ ସର୍ଭେ କରୁଛନ୍ତି । କାହାକୁ ଥଣ୍ଡା ଜ୍ୱର ହୋଇଛି, କାହାକୁ କାଶ ହେଉଛି ଓ ଅନ୍ୟ ରାଜ୍ୟରୁ କେତେ ଲୋକ ଫେରିଛନ୍ତି ତାହାର ଟିକନିକ୍ ହିସାବ ରଖା ଯାଉଛି । ବିଏମସି ଟାର୍ଗେଟ କରିଛି ଏଥର ଯେଭଳି ବସ୍ତିରେ ସଂକ୍ରମଣ ନ ହେଉ । କାରଣ କରୋନାର ପ୍ରଥମ ଲହରବେଳେ ଭୁବନେଶ୍ୱରର ୧୦ ଟି ବସ୍ତିରେ ଗୋଷ୍ଠୀ ସଂକ୍ରମଣ ହୋଇଥିଲା । ମୋଟ ୧୭୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲୋ ଫଳରେ ଏହିସବୁ ବସ୍ତିକୁ ସେତେବେଳେ କଣ୍ଟେନମେଣ୍ଟ ଜୋନ କରବାକୁ ବାଧ୍ୟ ହୋଇଥିଲା ବିଏମସି । ଅନ୍ୟପଟେ କରୋନାର ତ୍ୱିତୀୟ ଲହର ଚାଲିଥିବା ବେଳେ ବିଏମସିର ସୂଚନା ମୁତାବକ ଏପର୍ଯ୍ୟନ୍ତ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ହେଲେ ବସ୍ତିରେ ଯେଭଳି ଗୋଷ୍ଠୀ ସଂକ୍ରମଣ ନ ହେବ ସେନେଇ ବିଏମସି ପକ୍ଷରୁ ୪୦୫ ଜଣ ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଟିମରେ ୩ ଜଣ ସିଡିପିଓ ନେତୃତ୍ୱ ନେଉଛନ୍ତି । ଦୈନିକ ଏହି ଟିମ ବସ୍ତିମାନଙ୍କୁ ଯାଇ ସର୍ଭେ କରୁଛନ୍ତି ।
ଅନ୍ୟପଟେ ଗତକାଲି ସୁଦ୍ଧା ୨,୮୧,୭୯୫ ଜଣ ବସ୍ତିବାସିନ୍ଦାଙ୍କର ସର୍ଭେ ହୋଇସାରିଛି । ଏହି ସର୍ଭେ ବେଳେ ଲକ୍ଷଣ ଥିବା ୬୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାହାର ରାଜ୍ୟରୁ ଫେରିଥିବା ୩୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ।