କନକ ବ୍ୟୁରୋ: ବେପରୁଆ ଗାଡ଼ି ଚାଳନାର ଛାତିଥରା ଦୃଶ୍ୟ । ପୁଣି ଜଣଙ୍କ ଜୀବନ ନେଲା ବିଏମସି ଅଳିଆ ଗାଡି । ଏହି ଦୁର୍ଘଟଣାର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରୁ ଜଣାପଡୁଛି, କିପରି ବେପରୁଆ ଭାବେ ଗାଡ଼ି ଚଳାଉଛନ୍ତି ଡ୍ରାଇଭର ।

Advertisment

ସବୁଦିନ ଭଳି ଆଜି ବି ଗୋଟିଏ ପରେ ଗୋଟିଏ ବିଏମସିର ଅଳିଆ ଗାଡ଼ି ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିଲା । ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ଡ୍ରାଇଭର । ଏପରିିକି ଟର୍ନିଂ ନେଉଥିବା ବେଳେ ବି ଟ୍ରକର ବେଗ କମିନଥିଲା । ସେପଟେ ସ୍ଥାନୀୟ ଅଞ୍ଚଳର ରାମ ଗାଗରେଇ ନାମକ ଜଣେ ବ୍ୟକ୍ତି ଆଦିବାସୀ ସ୍କୁଲ କିସ୍ରେ ପଢୁଥିବା ତାଙ୍କ ପୁଅକୁ ଦେଖା କରିବାକୁ ଯାଉଥିଲେ । ସେ ଜାଣିନଥିଲେ ତାଙ୍କୁ ଅପେକ୍ଷା କରି ରହିଥିଲା ମୃତ୍ୟୁ । ଯମ ଦୂତ ଭଳି ତାଙ୍କ ଉପରକୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା ବିଏମସିର ଅଳିଆ ଗାଡ଼ି ।

ଦୁର୍ଘଟଣାରେ ଜଣଙ୍କ ଜୀବନ ଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ରାସ୍ତା ଅବରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଦାରୁଠେଙ୍ଗବାସୀ । ଲୋକଙ୍କ ସହ ବିଧାୟକ ସୁର ରାଉତରାୟ ମଧ୍ୟ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଯୋଗ ଥିଲା, ଦ୍ରୁତଗତିରେ ଅତି ବେପରୁଆ ଭାବେ ଚାଲିଛି ବିଏମସିର ଅଳିଆ ବୋଝେଇ ଗାଡ଼ି । ଏହାର ସ୍ଥାୟୀ ସମାଧାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଲୋକେ । ଧୀରେ ଧୀରେ ଉତ୍ତେଜନା ବଢ଼ୁଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଦାବି ପୂରଣ ପାଇଁ ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲେ ଦାରୁଠେଙ୍ଗ ଗ୍ରାମବାସୀ । ମୃତକଙ୍କ ପରିବାରକୁ ଦେଇଥିଲେ ୫ଲକ୍ଷ ଟଙ୍କାର ସହାୟତା ରାଶି । ଲୋକଙ୍କ ଆକ୍ରୋଶରୁ ବର୍ତିବା ପାଇଁ ପ୍ରଥମ ଥର ଦେଖିବାକୁ ମିଳିଥିଲା ଘଟଣାସ୍ଥଳରେ ଦିଆଯାଇଥିଲା ଅନୁକମ୍ପା ସହାୟତା । ବିଡ଼ା ବିଡ଼ା ନୋଟ ଗଣି ଦେଇଥିଲେ ମେୟର । ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ବିଏମସିରେ ଚାକିରି ଦେବା ପାଇଁ ମଧ୍ୟ ଦିଆଯାଇଛି ପ୍ରତିଶ୍ରୁତି ।

ପ୍ରତିଦିନ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ବିଏମସିର ଶତାଧିକ ଅଳିଆ ଗାଡ଼ି ଯାଇଥାଏ । ବେପରୁଆ ଗାଡ଼ି ଚାଳନା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ତେବେ ଏଥିପ୍ରତି କେବେ ବି ଦୃଷ୍ଟି ଦେଇନଥିଲେ କର୍ତୃପକ୍ଷ । ପୂର୍ବରୁ ମଧ୍ୟ ଦୁର୍ଘଟଣା ହୋଇଛି, ଆଜି ପୁଣି ଜଣଙ୍କ ଜୀବନ ଯାଇଥିଲା । ଦୁର୍ଘଟଣା ପରେ ସାମୟିକ ଭାବେ ସ୍ଥଗିତ ରହିଥିଲା ଦାରୁଠେଙ୍ଗ ଡମ୍ପିଂୟାର୍ଡ ।