କନକ ବ୍ୟୁରୋ : ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଭୁବନେଶ୍ୱରର ବମିଖାଲ୍ ଅଞ୍ଚଳର ଜୟଦୁର୍ଗା ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରିଛି ବିଏମିସି । ସେହିପରି ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ମଧ୍ୟ ଏକାଧିକ ପଜିଟିଭ୍ ଚିହ୍ନଟ ପରେ ୱାର୍ଡ ନମ୍ବର ୧୧କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି ।
ତେବେ ଓଡ଼ିଶାରେ ଆଜି ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ । ୨ଜଣଙ୍କ ଠାରେ ଓମିକ୍ରନ ଭୂତାଣୁ ଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ନାଇଜେରିଆରୁ ଏବଂ ଅନ୍ୟ ଜଣେ କାତାରରୁ ଓଡ଼ିଶା ଫେରିଥିଲେ । ଜିନମ ସ୍ୱିକେନ୍ସିଂ ପରେ ଓମିକ୍ରନ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ୭ଜଣଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ନମୂନା ନେଗେଟିଭ ଆସିଥିବା ବେଳେ ୩ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଜି ରିପୋର୍ଟ ଆସିଥିବା ବେଳେ ୨ଜଣଙ୍କ ଠାରେ ଓମିକ୍ରନ୍ ଭୁତାଣୁ ଚିହ୍ନଟ ହୋଇଥିବା କୁହାଯାଇଛି ।