କନକ ବ୍ୟୁରୋ : ବ୍ରହ୍ମପୁର ମେଡ଼ିକାଲ ନିକଟରେ ଜଣେ ମହିଳା ବ୍ୟବସାୟୀ ଓ ତାଙ୍କ ପୁଅକୁ ଦୁବ୍ୟବହାର କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ । ସେଠାରେ ବିକ୍ରି କରୁଥିବା ମାସ୍କ ଓ ଟୋପିକୁ ଫୋପାଡ଼ିବା ସହ ମହିଳା ଜଣକୁ ମଧ୍ୟ ମାଡ଼ ମାରିଥିଲେ ବିଏମସି କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।
ସବୁ ଲୋକଙ୍କ ସାମ୍ନାରେ ଜଣେ ଗରିବ ମହିଳାଙ୍କୁ ଅସମ୍ମାନ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ ଅବା ବିଏମସିର କର୍ମଚାରୀ । ଆଉ ତାହା ପୁଣି ବିଏମସିର କମିଶନଙ୍କର ନିର୍ଦ୍ଦେଶ କ୍ରମେ । ବିଏମସି କର୍ମଚାରୀମାନେ ବ୍ରହ୍ମପୁର ମେଡିକାଲ ପାଖ ରାସ୍ତା କଡରେ ମାସ୍କ ଓ ଟୋପି ବିକୁଥିବା ଏହି ମହିଳାଙ୍କ ଛୋଟ ପିଲାର ଦୋକାନ ଭାଙ୍ଗିଦେଇଛନ୍ତି । କର୍ମଚାରୀମାନେ ଟୋପି ଏବଂ ମାସ୍କକୁ ତଳେ ପକାଇ ଗୋଡରେ ଦଳି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ।
ବିଏମସି କର୍ମଚାରୀଙ୍କର ଏ ମହିଳା ଏବଂ ତାଙ୍କର ଛୋଟ ପୁଅକୁ ଏଭଳି ଖରାପ ବ୍ୟବାହାର କରିବାର କାରଣ ସେପରି କିଛି ନାହିଁ । ସେଠାରେ ମହିଳାଙ୍କ ପୁଅ ଏକ ଦଉଡିରେ ବାନ୍ଧି ମାସ୍କ ଏବଂ ଟୋପି ବିକ୍ରି କରୁଥିଲା । ଗତକାଲି ସଂଧ୍ୟାରେ ମହାନଗରର କର୍ମଚାରୀମାନେ ଆସି ମାସ୍କ ଓ ଟୋପି ଫୋପାଡ଼ିଥିଲେ । ମହିଳା ଜଣକ ବିରୋଧ କରିବାରୁ ପୁରୁଷ କର୍ମଚାରୀମାନେ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ । ମହିଳାଙ୍କର ଘର ନଥିବାରୁ ସେଠାରେ ଥିବା କିଛି ବ୍ୟାଙ୍କର କାଗଜ ପତ୍ରକୁ ବିଏମସି କର୍ମଚାରୀ ନେଇ ଯାଇଥିବା ବେଳେ ଆଉ ଦେଉ ନଥିବା ମହିଳା ଅଭିଯୋଗ କରିଛନ୍ତି । କିନ୍ତୁ ମହିଳାଙ୍କ ଅଭିଯାଗକୁ ଖଣ୍ଡନ କରି କୌଣସି ସାମଗ୍ରୀକୁ ନଷ୍ଟ କରାଯାଇନଥିବା କହିଛନ୍ତି ଏନଫୋର୍ସମେଂଟ୍ ଅଧିକାରୀ ।
ନିଜର ପେଟ ପୋଷିବା ପାଇଁ ଅସ୍ଥାୟୀ ଦୋକାନ କରିଥିବା ମହିଳାଙ୍କ ସହ ଏଭଳି ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଇଛି । ତୁରନ୍ତ ମହିଳା ଜଣଙ୍କୁ ତାଙ୍କର କାଗଜପତ୍ର ସହ କ୍ଷତିପୂରଣ ବାବଦକୁ ଟଙ୍କା ଦିଆଯାଉ ବୋଲି କହିଛନ୍ତି ଲୋକେ ।