ଭୁବନେଶ୍ୱର ବିଜେଡି ଦୁଇଫାଳ । କର୍ପୋରେଟର ଓ ବିଧାୟକଙ୍କ ମଧ୍ୟରେ ଜୋରଦାର କଥା କଟାକଟି । ବିଏମସି ମେୟରଙ୍କ ପାଇଁ ବଢ଼ୁଛି ଅଡୁଆ

1,711

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ବିଜେଡିରେ କାଁ ଭାଁ ବିବାଦ ଦେଖିବାକୁ ମିଳୁଥିଲା। ହେଲେ, ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ବିଦ୍ରୋହ ହାଟରେ ପଡି ଦାଣ୍ଡରେ ଗଡିଲାଣି। ବିଜେଡି ବିଧାୟକ, ପୂର୍ବତନ ମନ୍ତ୍ରୀ ଓ କର୍ପୋରେଟର ନିଜ ନିଜର ସ୍ୱତନ୍ତ୍ର ସଂଗଠନ ଚଳାଇବା ସହ, ସେମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି।

  • ଭୁବନେଶ୍ୱର ବିଜେଡି ଫାଳ ଫାଳ
  • କର୍ପୋରେଟର ଓ ବିଧାୟକ ଲଢ଼େଇ ଜୋରଦାର
  • ମେୟରଙ୍କ ପାଇଁ ବଢ଼ୁଛି ଅଡୁଆ

ନିର୍ବାଚନ ଫଳାଫଳ ଆସିବା ପରେ ଭୁବନେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଁଚିଛି। ରାଜ୍ୟରେ କ୍ଷମତାରୁ ଯିବା ପରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ନିଜର ସ୍ୱତନ୍ତ୍ର ସଙ୍ଗଠନ ଚଳାଇଛନ୍ତି। ବିଏମସି କର୍ପୋରେଟରଙ୍କ ସହ ଲୁଚାଛପାରେ ବୈଠକ କରୁଛନ୍ତି। ଯେଉଁଥିରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ଜେନା ଓ ଦଳର କିଛି କର୍ପୋରେଟର ବସିଛନ୍ତି। ତେବେ ଏଭଳି ଗୁପ୍ତ ବୈଠକକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ବରିଷ୍ଠ କର୍ପୋରେଟର ଅମରେଶ ଜେନା। ଆଉ ଅମରେଶଙ୍କ ଅଭିଯୋଗ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନନ୍ତ ଜେନା।

ବିଜେଡିର ଗୋଷ୍ଠୀ କନ୍ଦଳ ପଦାକୁ ଆସିବା ପରେ, ବିଏମ ମେୟରଙ୍କ ପାଇଁ ଅଡୁଆ ବଢ଼ୁଛି ବୋଲି ଚର୍ଚ୍ଚା ହେଉଛି। ଏଥିସହ ବିଏମସି ନିର୍ବାଚନକୁ ଏହା ଭିତରେ ୨ବର୍ଷ ପୂରି ଯାଇଥିବାରୁ ଆଗକୁ ବିଜେପି କର୍ପୋରେଟର ମେୟରଙ୍କ ବିରୋଧରେ ଅନାନ୍ଥା ପ୍ରସ୍ତାବ ଆଣିପାରନ୍ତି ବୋଲି ଆଲୋଚନା ହେଉଛି।

ବିଏମସିର ସଂଖ୍ୟା ଗଣିତ

  • ବିଏମସିରେ ମୋଟ ୬୭ କର୍ପୋରେଟର
  • ବିଜେଡିର ୫୭ କର୍ପୋରେଟର
  • ବିଜେପିର ୦୯ + ୦୧(ବହିଷ୍କୃତ) କର୍ପୋରେଟର

ଏହି ସଂଖ୍ୟାକୁ ଦେଖିଲେ ସ୍ପଷ୍ଟ ହେଉଛି ବିଏମସିରେ ବିଜେଡି ସଂଖ୍ୟା ଦୃଷ୍ଟିରୁ ବହୁ ଆଗରେ ରହିଛି, ତଥାପି ବିଜେପିର ଗୋଟିଚାଳନା ଆଗକୁ ଭୁବନେଶ୍ୱର ମହାନଗର ନିଗମର ରାଜନୈତିକ ପାଣିପାଗକୁ ବଦଳାଇ ଦେଇ ପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ଭବାନୀପାଟଣା ପୌରାଧକ୍ଷଙ୍କ ବିରୋଧରେ ବିଜେଡିର କର୍ପୋରେଟରମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ୧୮ଜଣଙ୍କ ମଧ୍ୟରୁ ୧୪ ଜଣ ବିଜେଡି କାଉନସିଲର ହୋଇଥିଲେ ବି ଏବେ ପୌରାଧକ୍ଷଙ୍କ ଆସନ ଟଳମଳ ଅବସ୍ଥାରେ ରହିଛି। ତେଣୁ ଆଗକୁ ବିଏମସିରେ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।