ଭୁବନେଶ୍ବରରେ ବଢୁଥିବା ସଂକ୍ରମଣ ନେଇ ବିଏମସି କମିଶନରଙ୍କ ସୂଚନା : ପରୀକ୍ଷା ସରିଥିଲେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇବାକୁ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ

ସେପଟେ, ସଂକ୍ରମଣକୁ ଚେକ ଦେବାକୁ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା

289

କନକ ବ୍ୟୁରୋ : ଚିନ୍ତା ବଢାଉଛନ୍ତି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି । ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ । ଏନଫୋର୍ସମେଣ୍ଟକୁ କମିସନରରେଟ ପୁଲିସ ସହ ମିଶି ଆହୁରି ତ୍ୱରାନ୍ୱିତ କରାଯାଇଛି ।

ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି । ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶ ଅନୁଯାୟୀ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ଵୃଦ୍ଧି ପାଉଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ସେପଟେ ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ । ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ ।