ନାଳରେ ପଡ଼ି କୁନି ପୁଅର ଜୀବନ ଯିବାର ୩ଦିନ ପରେ ମୁହଁ ଖୋଲିଲା ବିଏମସି । ବର୍ଷାକୁ ଦେଲା ଦୋଷ ।

238

କନକ ବ୍ୟୁରୋ : ରାଜଧାନୀର ଡ୍ରେନରେ ଛାତ୍ର ଭାସିଯିବା ପ୍ରସଙ୍ଗରେ ଚୁପ୍ ରହିଥିବା ବିଏମସି ଶେଷରେ ମୁହଁ ଖୋଲିଛି । ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ରାଜଧାନୀ ବାସୀଙ୍କ ସାମ୍ନାରେ ଦୀର୍ଘ ମିଆଦି ଯୋଜନାର ରୋଡମ୍ୟାପ ରଖାଯାଇଛି । ହେଲେ ଯେଉଁ ପ୍ରସଙ୍ଗ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଥିଲା, ସେନେଇ କୌଣସି ଉତ୍ତର ରଖିନାହାନ୍ତି । କେବେ ସୁଦ୍ଧା ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପଡିବ ସେ ନେଇ ବିଏମସି କମିଶନରଙ୍କ ପାଖରେ କୌଣସି ଉତ୍ତର ନଥିଲା ।

ଡ୍ରେନରେ ଭାସି ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ପରେ ଏବେ ରାଜଧାନୀରେ ମରଣଯନ୍ତା ପାଲଟିଥିବା ଖୋଲା ଡ୍ରେନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଖବର ପ୍ରସାରଣ ହେବା ପରେ ଏହାର ମରାମତି କାମ ଆରମ୍ଭ ହୋଇଛି । ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ମ୍ୟାନ ହୋଲ ଭାଙ୍ଗିଥିବା ବେଳେ ରାସ୍ତାକଡରେ ବଡ ଗାତ ସୃଷ୍ଟି ହୋଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବି ୱାଟକୋ ଏଥିପ୍ରତି ଦୃଷ୍ଟି ଦେଉନଥିଲା । କନକ ନ୍ୟୁଜ ଖବର ପ୍ରସାରଣ ପରେ ସକ୍ରିୟ ହୋଇଥିଲେ ବିଭାଗୀୟ ଅଧିକାରୀ ।

ଏପଟେ ମୁକୁଲା ପଡିଥିବା ଡ୍ରେନକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ବିଏମସି କମିସନର । କହିଛନ୍ତି, ୬୩ ବର୍ଷ ପରେ ଭୁବନେଶ୍ୱରରେ ରେକର୍ଡ ବର୍ଷା ହୋଇଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି । ୭୫ଟି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ ହୋଇଛି, ସମାଧାନ ପାଇଁ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ ଯୋଜନା କରାଯାଉଛି ।

ପ୍ରଶାସନିକ ଅବହେଳାର ଉତ୍ତରଦାୟିତ୍ୱ ନେବା ତ ଦୂରର କଥା, ବରଂ ପ୍ରକୃତିକୁ ଦୋଷ ଦେଇଛନ୍ତି ସଂଜୟ ସିଂ । ରେକର୍ଡ ବର୍ଷାର ୭ ଦିନ ପରେ ଖୋଲା ଡ୍ରେନରେ ଭାସି ଯାଇଥିଲେ ଛାତ୍ର । ତେଣୁ ସ୍ୱାଭାବିକ ପ୍ରଶ୍ନ ଉଠୁଛି, ବର୍ଷାର ଦୋଷ ଦେଇ କାହିଁକି ନିଜ ମୁଣ୍ଡରୁ ଉତ୍ତରଦାୟିତ୍ୱ ଖସାଇ ଦେଉଛନ୍ତି କମିସନର?

କାମ କେବେ ତ୍ୱରାନ୍ୱିତ ହେବ, ମୁକୁଳା ଡ୍ରେନରେ କେବେ ସ୍ଲାବ ପଡିବ, ଏନେଇ ରାଜଧାନୀବାସୀ ପ୍ରଶ୍ନ କରୁଥିବା ବେଳେ ପ୍ରଶାସନିକ ସ୍ତରରେ କେବଳ ଘନ ଘନ ସମୀକ୍ଷା ବୈଠକ ହେଉଛି । କିନ୍ତୁ ପ୍ରକୃତରେ କେବେ କାମ ଆରମ୍ଭ ହେବ, ଏନେଇ କିଛି କହିନାହାନ୍ତି ବିଏମସି କମିସନର । ସେପଟେ ପ୍ରାକୃତିକ ନାଳକୁ କଭର ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅଛି ବୋଲି କହି ଏହି ପ୍ରଶ୍ନକୁ ଆଡେଇ ଦେଇଛନ୍ତି ବିଏମସି କମିସନର । ଆଗକୁ ପୁଣି ଏକ ବର୍ଷା ଆସୁଛି, ଏହା ପୂର୍ବରୁ ବିଏମସି କି ପଦକ୍ଷେପ ନେଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର । ଏବେ ଦେଖିବାର କଥା, ୬ ବର୍ଷରେ ୬ ଜଣଙ୍କ ମୃତ୍ୟୁ ହେବା ପରେ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁଛି କି ନାହିଁ ।