ରାଜଧାନୀରେ ମିଳୁଛି ମିଛ କୋଭିଡ୍ ପଜିଟିଭ୍ ରିପୋର୍ଟ । ଜେନ୍-ଏକ୍ସ ଡାଇଗ୍ନୋଷ୍ଟିକକୁ ରିପୋର୍ଟ ମାଗିଲା ବିଏମସି ।

ହଇଚଇ ଖେଳାଇ ଦେଲା ସମ୍ବାଦର ଅନୁସନ୍ଧାନମୂଳକ ଖବର

148

କନକ ବ୍ୟୁରାେ: ରାଜଧାନୀରେ ମିଛ କୋଭିଡ୍ ରିପୋର୍ଟ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନେଇ ଏବେ ରିପୋର୍ଟ ମାଗିଛି ବିଏମସି । ସମ୍ପୃକ୍ତ ଜେନ୍-ଏକ୍ସ ଡାଇଗ୍ନୋଷ୍ଟିକକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୩ ଦିନ ଭିତରେ ବିଏମସିକୁ ଏନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଛି । ତେବେ ତାଙ୍କ ଲାଇସେନ୍ସକୁ କାହିଁକି ରଦ୍ଦ କରାଯିବନି ସେନେଇ ଉତ୍ତର ମାଗିଛି ଭୁବନେଶ୍ୱର ମହାନଗର ନିଗମ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ କୋଭିଡ୍ ରିପୋର୍ଟକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା ସମ୍ବାଦ । ଯେଉଁଥିରେ ଜଣେ ଦଲାଲକୁ ଫୋନ କରି, ପଜିଟିଭ୍ ରିପୋର୍ଟ ଦରକାର ବୋଲି କୁହାଯାଇଥିଲା । ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ପଚାରିବାରୁ, ଲ୍ୟାବ ଅନୁଯାୟୀ ରେଟ୍ ଅଲଗା ଅଲଗା ରହିଥିବା କହିଥିଲେ ଦଲାଲ । ତେବେ ଫୋନରେ କଥାବାର୍ତ୍ତା ପରେ ହ୍ୱାଟ୍ସଆପରେ ଆଧାରକାର୍ଡ ଦିଆଯିବା ସହ ଗୁଗୁଲ ପେ’ରେ ୧୨ଶହ ଟଙ୍କା ପୈଠ କରିଦିଆଯାଇଥିଲା ।

ଏହାପରେ ସୋମବାର ଅପରାହ୍ନରେ ନମୁନା ସଂଗ୍ରହ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିଥିଲା । ଆଉ ମଙ୍ଗଳବାର ସକାଳେ ଆରଟିପିସିଆର କୋଭିଡ ପଜିଟିଭ ରିପୋର୍ଟ ସାମ୍ବାଦିକଙ୍କ ମୋବାଇଲକୁ ପଠାଇଦେଲେ ସଂପୃକ୍ତ ଦଲାଲ । ତେବେ ଏହି କାର୍ଯ୍ୟ ପ୍ରମାଣିତ କରୁଛି କରୋନା ଭଳି ସ୍ପର୍ଶକାତର ସମୟରେ କିଭଳି କିଛି ଦଲାଲ ଓ ସଂସ୍ଥା ବେଆଇନ କାମ କରିବାକୁ ପଛାଉନାହାନ୍ତି । ତା ଠାରୁ ସାଂଘାତିକ ଦିଗ ହେଉଛି, ରାଜଧାନୀରେ ଏଭଳି ଚାଲୁଥିଲେ ବି କେହି ଜାଣିପାରୁନଥିଲେ କିଭଳି?

ଗଣମାଧ୍ୟମରେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଏବେ ପ୍ରଶ୍ନ ଉଠୁଛି…

  • ନମୁନା ସଂଗ୍ରହ କରୁଥିବା ସଂସ୍ଥା ଜରିଆରେ ଦଲାଲ ଏଭଳି କାର୍ଯ୍ୟ କରୁଥିଲେ କି?
  • କିଭଳି ଗୋଟିଏ ଲୋକ ପାଇଁ କରୋନା ରୋଗୀଙ୍କ ନମୁନା ପାଉଥିଲେ ଦଲାଲ?
  • ବାରକୋଡ୍ ଓ ଆଧାର କାର୍ଡ ଲିଙ୍କ ହେଉଥିଲେ ବି କିଭଳି ରାକେଟ କାମ କରୁଥିଲା?
  • ଏହି ପୁରା କେଳେଙ୍କାରୀ ପଛରେ ରହିଛି କି କେଉଁ ହସ୍ପିଟାଲର ହାତ?

ଅନୁସନ୍ଧାନରୁ ଏହି ତଥ୍ୟ ପ୍ରଘଟ ହେବା ପରେ, ଏହା ପଛରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ତଥ୍ୟ ସାମ୍ନାକୁ ଆଣିବା ଏବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ।