କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ଭିତରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଏହି ଯୁଦ୍ଧ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲ୍ୟୁଟିକ୍ ହଟାଇବାକୁ ନେଇ । ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ପ୍ରୋଫାଇଲରୁ ବ୍ଲ୍ୟୁଟିକ୍ ଉଠାଇ ଦିଆଯାଇଥିଲା । ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲ୍ୟୁଟିକ୍ ହଟାଇଥିଲା ଟ୍ୱିଟର ।

Advertisment

ଅମାନିଆ ଟ୍ୱିଟରକୁ ଚୁଡ଼ାନ୍ତ ନୋଟିସ ଦେଲେ କେନ୍ଦ୍ର ସରକାର । ନିୟମ ପାଳନ ନକଲେ ହେବ କାର୍ଯ୍ୟାନୁଷ୍ଠାନ । କଂପାନିର ଡେପୁଟି ଜେନେରାଲ କାଉସେଲ୍ ଜିମ୍ ବେକରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଏହି ନୋଟିସ ଜାରି କରାଯାଇଛି । ବାରମ୍ବାର ମନେ ପକାଇବା ସତ୍ୱେ କଂପାନି କେତେକ ବିଷୟକୁ ସ୍ପଷ୍ଟ କରୁନଥିବା ନେଇ ମନ୍ତ୍ରଣାଳୟ କ୍ଷୁବ୍ଧ ହୋଇଛି । ନୋଟିସରେ ସରକାର ଜଣାଇଛନ୍ତି ଯେ ଚିଫ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ି କରିବା ବିଷୟରେ କଂପାନି ବର୍ତମାନ ସୁଦ୍ଧା କୌଣସି ତଥ୍ୟ ଦେଉନାହିଁ । ଯେଉଁମାନଙ୍କଚ କଂପାନି ରେସିଡେଂଟ ଗ୍ରିଭାନ୍ସ ଅଫିସର ଓ ନୋଡାଲ କଂଟ୍ରାକ୍ଟ ପର୍ସନ ଭାବେ ନିଯୁକ୍ତ କରିଛି ସେମାନେ ଭାରତୀୟ ନୁହନ୍ତି । ଏହି ୨ ପଦରେ ନିଯୁକ୍ତ ହେବାକୁ ଥିବା ବ୍ୟକ୍ତି ଭାରତୀୟ ହୋଇଥିବେ ଏବଂ ସେମାନେ କଂପାନିର ପେ ରୋଲରେ ଥିବେ ବୋଲି ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଟ୍ୱିଟରର ଭାରତୀୟ କାର୍ଯ୍ୟାଳୟର ଯେଉଁ ଠିକଣା ଦିଆଯାଇଛି ତାହା ଏକ ଆଇନ ସେବା ପ୍ରଦାନ କରୁଥିବା ସଂସ୍ଥାର ଠିକଣା ।

ତେବେ ବିବାଦ ତେଜିବା ପରେ ଭେଙ୍କୟା ନାଇଡୁ ଓ ଭାଗବତଙ୍କ ଆକାଉଣ୍ଟକୁ ପୁନଃ ଭେରିଫାଏଡ୍ କରି ଦିଆଯାଇଛି । ପୂର୍ବରୁ ମଧ୍ୟ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଟ୍ୱିଟର ଆପକୁ ମାତ ଦେବା ପାଇଁ ‘କୁ’ ଆପ ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏବେ ପୁନର୍ବାର ଟ୍ୱିଟରକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଜଣେ ଭାରତୀୟଙ୍କୁ ଚିଫ କନପ୍ଲାଇନ୍ସ ଅଫିସର ନିଯୁକ୍ତ କରିବାକୁ ନିୟମ ଥିଲେ ବି ମାନୁନାହିଁ ସାମାଜିକ ଗଣମାଧ୍ୟମ । ଆଉ ଟ୍ୱିଟରକୁ ଶେଷ ସୁଯୋଗ ମଧ୍ୟ ଦିଆଯାଇଛି । ଯଦି ଆଗକୁ ଏହପରି ଅମାନିଆ ହୁଏ ତେବେ ଟ୍ୱିଟର ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦିଆଯାଇଛି