ଫୋକସରେ ପାଟକୁରା । ନିର୍ବାଚନ ଯୁଦ୍ଧ ପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲେଣି ବିଜେଡି ଓ ବିଜେପି ।

187

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ସରିବା ପରେ ଏବେ ବିଜେଡି ଫୋକସରେ ପାଟକୁରା । ପାଟକୁରାରେ କେବଳ ନିର୍ବାଚନ ହେଉନି, ବରଂ ହେବାକୁ ଯାଉଛି ସମ୍ମାନର ଲଢ଼େଇ । ଆଉ ଏହି ଲଢ଼େଇରେ ବାଜିମାତ କରିବା ପାଇଁ ବଡଧରଣର ରଣନୀତି ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ବିଜୟ ମହାପାତ୍ରଙ୍କୁ ବିଧାନସଭାଠାରୁ ଦୂରେଇ ରଖିବା ପାଇଁ ସମସ୍ତ କୌଶଳ ଆପଣାଇଛି ବିଜେଡି । ଅନ୍ୟପଟେ ବିଜେଡି ପ୍ରାର୍ଥୀଙ୍କୁ ମାତ ଦେବା ପାଇଁ ବିଜେପି ମଧ୍ୟ ଫୁଲଦମରେ ପ୍ରସ୍ତୁତ ହେଉଛି । ଆଉ ଏସବୁ ଭିତରେ ଅପେକ୍ଷା ନିର୍ବାଚନ ତାରିଖ ଘୋଷଣାକୁ ।

ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, ହେଲେ ସରଗରମ ହୋଇଗଲାଣି ପାଟକୁରା ରାଜନୀତି । ଏହି ଆସନରେ ବାଜିମାତ କରିବା ପାଇଁ ଉଭୟ ବିଜେଡି ଓ ବିଜେପି କ୍ୟାମ୍ପ ଜୋରଦାର ପ୍ରୟାସ ଚଳାଇଛନ୍ତି । ସଭାସମିତି ଠାରୁ ଆରମ୍ଭ କରି ତୁହାକୁ ତୁହା ଚାଲିଛି ରୁଦ୍ଧଦ୍ୱାର ବୈଠକ । ବିଜୟ ମହାପାତ୍ରଙ୍କ ସଭାପତିତ୍ୱରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ବିଜେପି କର୍ମୀ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ର, ମନମୋହନ ସାମଲ, ପ୍ରଭାତି ପରିଡ଼ା ଆଦି ନେତା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ପାଟକୁରା ନିର୍ବାଚନରେ କିପରି ବିଜୟ ମହାପାତ୍ର ବିଜୟୀ ହେବେ ଏ ନେଇ ମାନସ ମନ୍ଥନ କରିଥିଲେ ବିଜେପି ନେତା ।

ସେପଟେ ବିଜେଡି ପାଇଁ ସମ୍ମାନର ଆସନ ହୋଇଛି ପାଟକୁରା । ୨୦୦୦ ମସିହାରେ ବିଜେଡି ଟିକେଟ୍ କଟିବା ପରେ ଆଉ ବିଧାନସଭାକୁ ଯାଇପାରିନାହାନ୍ତି ବିଜୟ ମହାପାତ୍ର । ମହାକାଳପଡ଼ା ହେଉ କି ପାଟକୁରା, ଗତ ନିର୍ବାଚନଗୁଡ଼ିକରେ ବିଜୟଙ୍କୁ ବିଜୟୀ ହେବାର ମୌକା ଦେଇନି ବିଜେଡି । ପାଟକୁରା ଆସନକୁ ପୁଣିଥରେ ନିଜ କବଜାରେ ରଖିବା ପାଇଁ ଶକ୍ତି ଲଗାଇ ଦେଇଛି ଶାସକ ଦଳ । ମାଳ ମାଳ ମନ୍ତ୍ରୀଙ୍କ ଘନ ଘନ ଗସ୍ତ ସହ ଦଳର ବହୁ ତୁଙ୍ଗ ନେତା ଏବେ ଡେରା ପକାଇଛନ୍ତି ପାଟକୁରାରେ ।

ପ୍ରଥମେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଘୁଞ୍ଚିଥିଲା ପାଟକୁରା ନିର୍ବାଚନ । ଏହା ପରେ ଫୋନି ବାତ୍ୟା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିସନ୍ । ତାରିଖ ଏଯାଏଁ ଘୋଷଣା ହୋଇ ନଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି । ଦୂୁଇ ଦଳର ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଏକ ମହାଲଢ଼େଇର କ୍ଷେତ୍ର ହେବାକୁ ଯାଉଛି ପାଟକୁରା ।