ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଏଥିପାଇଁ ରାଜ୍ୟ ସରକାର ୮.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି

791

କନକ ବ୍ୟୁରୋ : ବହୁଦିନର ପ୍ରତୀକ୍ଷା ପରେ ପୁରୀ ବେଳାଭୁମିକୁ ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ମଳିଛି । ଡେନମାର୍କସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ଏଫ୍‌ଇଇ ( ଫାଉଣ୍ଡେସନ୍ ଫର ଏନଭରମେଣ୍ଟ ଏଜୁକେସନ) ତରଫରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କି ପରିବେଶ ନିୟମକୁ ଗୁରୁତ୍ୱ ଦେଇ ଏଠାରେ ବିକାଶମୂଳକ କାର୍ଯ୍ୟ କରାଯାଇଥିବାରୁ ଏଠାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟକ ମାନେ ଆସୁଛନ୍ତି । ତେଣୁ ପୁରୀ ବେଳାଭୁମିକୁ ଏଭଳି ସମ୍ମାନ ଜନକ ଟ୍ୟାଗ ମିଳିପାରିଛି ।

ଦିଗବାରେଣୀ ଖୁଣ୍ଟି ଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍ ’ ମାନ୍ୟତା ମିଳିଛି । ଏହି ଅବସରରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ‘ମୋ ବିଚ୍ ଅଭିଯାନ’ ରେ ସାମିଲ ଥିବା ଜିଲ୍ଲା ପ୍ରଶାସନର କର୍ମଚାରୀ ତଥା ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବେଳାଭୁମି ମାର୍ଗକୁ ‘ବ୍ଲୁ ଫ୍ଲାଗ୍ ବିଚ୍‌’ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୮.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବେଳାଭୂମିରେ ସୌର ଶକ୍ତିର ଉପଯୋଗ, ଜୈବ ଆବର୍ଜନା ପରିଚାଳନା ପାଇଁ ବ୍ୟବସ୍ଥା କରାଯିବା ସହ ବ୍ଲୁ ଫ୍ଲାଗ୍ ପାଇଁ ଆବଶ୍ୟକ ଥିବା ୩୩ ଟି ନିୟମକୁ ପୁରଣ କରାଯାଇଛି । ଏହାସହ ସବୁଠାରୁ ବଡକଥା ହେଉଛି ସ୍ନାନ ପାଇଁ ପାଣିର ଗୁଣବତ୍ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୁରୀ ବେଳାଭୂମିରେ ପାର୍କିଂ , ପାନୀୟ ଜଳ,ଫାଷ୍ଟଏଡ୍‌,ଲାଇଫ୍ ଗାର୍ଡ, ୱାଚ୍ ଟାୱାର,ଚେଜିଂ ରୁମ, ପିଲାମାନେ ଖେଳିବା ପାଇଁ ବ୍ୟବସ୍ଥା, ବ୍ୟାୟାମ ଉପକରଣ, ବସିବା ପାଇଁ ଚେୟାର ବ୍ୟବସ୍ଥା, ମହିଳା ଶୌଚାଳୟ, ଓ ବାଥିଂ ଜୋନର ବ୍ୟବସ୍ଥା କରାଯାଇଛି ।