କରୋନା କାଳରେ ରକ୍ତର ଅଭାବ । କୋଭିଡ୍ କଟକଣା ଯୋଗୁଁ ରକ୍ତ ସଂଗ୍ରହରେ ଉପୁଜିଛି ସମସ୍ୟା । ରକ୍ତଦାନ ପାଇଁ ଓଡ଼ିଶା-ମୋ ପରିବାରର ଆହ୍ୱାନ । ଆମ ଓଡ଼ିଶା ଅଧ୍ୟକ୍ଷ କହିଲେ ଛୋଟ ଛୋଟ ଶିବିର କରି କରାଯାଉ ରକ୍ତ ସଂଗ୍ରହ ।

578

କନକ ବ୍ୟୁରୋ: କରୋନା ବେଳେ ରକ୍ତର ଅଭାବ । ଆୟୋଜନ କରି ହେଉନି ବଡ଼ ରକ୍ତଦାନ ଶିବିର । ଜନସଂଖ୍ୟା ଦୃଷ୍ଟିରୁ ଆମ ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ୍ ଆବଶ୍ୟକ ହୋଇଥାଏ । ୨ ଲକ୍ଷ ୟୁନିଟ୍ ପ୍ରତିବଦଳରେ ରକ୍ତ ସଂଗ୍ରହ ହେଉଥିବା ବେଳେ ଆବଶ୍ୟକ ହେଉଥିବା ବାକି ୨ ଲକ୍ଷ ୟୁନିଟ୍ ରକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଜରିଆରେ ସଂଗ୍ରହ କରାଯାଏ । ଆଉ ଏହା ଉପରେ ନିର୍ଭର କରିଥାନ୍ତି ରାଜ୍ୟର ୫୬ଟି ରକ୍ତ ଭଣ୍ଡାର । ସେପଟେ ରାଜ୍ୟରେ ପ୍ରାୟ ୮୦ ହଜାର ଥାଲାସେମିଆ, ସିକିଲସେଲ୍, ହେମୋଫିଲିଆ ରୋଗୀ ରହିଛନ୍ତି । ପ୍ରତି ମାସରେ ସେମାନଙ୍କର ରକ୍ତର ଆବଶ୍ୟକ ରହିଥାଏ । କୋଭିଡ୍ କଟକଣା ସମୟରେ ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଧାୟକ, ସାଂସଦ ଓ ଯୁବଛାତ୍ର ସଂଗଠନର ସହଯୋଗ ପାଇଁ ନିବେଦନ କରିଛି ଓଡ଼ିଶା-ମୋ ପରିବାର ।

ସେପଟେ ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଗତବର୍ଷ ଭଳି ଏବର୍ଷ ବଡ଼ ବଡ଼ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନାହିଁ । ତେଣୁ ଛୋଟ ଛୋଟ ରକ୍ତଦାନ ଶିବିର କରାଯାଇ ଆବଶ୍ୟକ ରକ୍ତ ସଂଗ୍ରହ କରାଯାଇପାରିବ ।

ସେହିପରି ରକ୍ତଭଣ୍ଡାରରେ କାମ କରୁଥିବା କର୍ମଚାରୀମାନଙ୍କର ସମାନ କାମକୁ ସମାନ ଦରମା ପାଇଁ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

କୋଭିଡ ସଂକ୍ରମଣ ସ୍ଥିତିରେ ରକ୍ତର ଅଭାବ ଏବେ ଉକ୍ରଟ ହେବାରେ ଲାଗିଛି । କରୋନା କଟକଣା ସତ୍ୱେ ଓଡ଼ିଶା-ମୋ ପରିବାରର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ଏବର୍ଷ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ସେହିପରି ଆମ ଓଡ଼ିଶା ପକ୍ଷରୁ ଜୁଲାଇ ମାସ ସୁଦ୍ଧା ପ୍ରାୟ ୩୩ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏବର୍ଷ ୭୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ଆମ ଓଡ଼ିଶା ।