କରୋନା ଆଣୁଛି ଆଉ ଏକ ବଡ ସଂକଟ । ବ୍ଲଡ ବ୍ୟାଙ୍କରେ ଦେଖାଦେଲାଣି ରକ୍ତ ଅଭାବ , କଟକଣା ଯୋଗୁଁ ଲୋକ ରକ୍ତଦାନ ପାଇଁ ଆସୁନାହାନ୍ତି

2,697

କନକ ବ୍ୟୁରୋ : କଟକ ବଡ ମେଡିକାଲରେ ୨ ବର୍ଷ ଜଣେ ଶିଶୁ ଜରୁରୀ ଥିଲା ରକ୍ତ । ଏପରିକି ତୁରନ୍ତ ରକ୍ତ ଯୋଗାଡ ନକଲେ ତାହାର ପ୍ରାଣ ବି ଚାଲିଯାଇପାରେ । ଏଭଳି କଥା ଡାକ୍ତରଙ୍କଠାରୁ ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ଠପ୍ ହୋଇ ରହିଥିବା ବେଳେ ରକ୍ତ ଦେବ କିଏ? ତେବେ ଖବର ପାଇ ଭୁବନେଶ୍ୱରରୁ ଚିନ୍ମୟ ନାମକ ଜଣେ ଯୁବକ କଟକ ଯାଇ ରକ୍ତ ଦେଇଥିଲେ ଏବଂ ଶିଶୁଟିର ଜୀବନ ବଂଚାଇଥିଲେ । କିନ୍ତୁ ବାସ୍ତବରେ କଥାଟି ଏହି ଶିଶୁ ଜୀବନ ବଂଚିବା ସହ ନୁହେଁ, ବର୍ତମାନ ସ୍ଥିତିରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ଅଭାବ ଦେଖାଦେଇଛି ।

ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଦିନକୁ ପ୍ରାୟ ୬୦ରୁ ଅଧିକ ୟୁନିଟ ରକ୍ତ ଦରକାର ହୁଏ । କିନ୍ତୁ ବର୍ତମାନର ପ୍ରତିକୂଳ ପରିସ୍ଥିତିରେ କେହି ଘରୁ ବାହାରୁ ନଥିବାରୁ ରକ୍ତ ଦାନ କରିବାକୁ ମଧ୍ୟ ଆସୁ ନାହାନ୍ତି । ଫଳରେ ବ୍ଲଡ୍ ବ୍ୟାଙ୍କରେ ରକ୍ତର ଅଭାବ ଦେଖା ଦେଲାଣି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଇଛନ୍ତି । ତେଣୁ ଆଗାମୀ ଦିନରେ ରକ୍ତ ଅଭାବ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଛି ।