ରକ୍ତ ସହ ରହିଛି କି କରୋନାର ସମ୍ପର୍କ ? ବହୁରୂପୀ ମହାମାରୀକୁ ନେଇ ସାମ୍ନାକୁ ଆସିଲା ବଡ ଖବର: ବ୍ଲଡ୍ ଗ୍ରୁପକୁ ନେଇ ପୂର୍ବରୁ ଆସିଥିବା ତଥ୍ୟକୁ ଖଣ୍ଡନ କଲେ ବିଶେଷଜ୍ଞ; କହିଲେ, ରକ୍ତ ସହିତ ନାହିଁ କୋଭିଡ୍ ଭାଇରସର କୌଣସି ବି ସାମଂଜସ୍ୟ

423

କନକ ବ୍ୟୁରୋ: କିଛି ଦିନ ତଳେ ଏ’ ବ୍ଲଡ୍ ଗ୍ରୁପ ଥିବା ବ୍ୟକ୍ତି କରୋନା ମହାମାରୀରେ ଅଧିକ ସଂକ୍ରମିତ ହେବା ନେଇ ଗବେଷକମାନେ ଦାବି କରିଥିଲେ । ଏପରିକି କୋଭିଡ୍ ଭୁତାଣୁ ସହିତ ରକ୍ତର ସଂପର୍କ ରହିଛି ବୋଲି ଏକ ରିପୋର୍ଟରେ ମଧ୍ୟ ଗବେଷକମାନେ ସ୍ପଷ୍ଟ କରିଥିଲେ । କିନ୍ତୁ ମାସାଚୁସେଟସ ହସ୍ପିଟାଲର ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିବା ସହ ଲୋକଙ୍କ ବ୍ଲଡ୍ ଗ୍ରୁପ ସହ କରୋନା ଭୁତାଣୁର କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମଠାରେ ବିଭିନ୍ନ ବର୍ଗର ରକ୍ତ କାହିଁକି ରହିଛି ଏବଂ ଏହା ଭିନ୍ନ ଭିନ୍ନ ରହିବାର ଉଦ୍ଦେଶ୍ୟ କଣ ତାହା ଏବେବି ଅଜଣା । ଏପରିକି ଭୁତାଣୁ ସଂକ୍ରମଣ ସହିତ ରକ୍ତର ବିଭିନ୍ନ ଗ୍ରୁପର କଣ ସଂପର୍କ ରହିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ତେଣୁ ଉଭୟ ମଧ୍ୟରେ କୌଣସି ସାମଂଜସ୍ୟ ନଥିବା ନେଇ ବିଶେଷଜ୍ଞମାନେ ଏକ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି । ତେବେ ଏବିଓ ବ୍ଲଡ ଗ୍ରୁପ୍ ଆଂଟିବଡି ଦ୍ୱାରା ଚିହ୍ନଟ ହୋଇଥାଏ । ଆଂଟିବଡି ହେଉଛି ଶରୀରର ପ୍ରାକୃତିକ ପ୍ରତିରୋଧକ ବ୍ୟବସ୍ଥା । ଯାହାକି ଲୋହିତ ରକ୍ତ କଣିକାକୁ ଘେରି ରଖିବା ସହ ଶରୀରରେ କୌଣସି ବାହ୍ୟ ଆଂଟିଜେନକୁ ଦେଖିବା ମାତ୍ରକେ ସେଗୁଡିକୁ ନଷ୍ଟ କରିବା ପାଇଁ ପ୍ରତିରୋଧକ ବ୍ୟବସ୍ଥାକୁ ନିର୍ଦ୍ଦେଶ ଦେଇଥାଏ । ତେଣୁ ଜଣେ ବ୍ୟକ୍ତିକୁ ଭିନ୍ନ ଗ୍ରୁପର ବ୍ଲଡ ଦେବା ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ ।

ରକ୍ତ ସହ ରହିଛି କି କରୋନାର ସଂପର୍କ?

ରକ୍ତର ପ୍ରକାର ସହ କରୋନାର କିଛି ସଂପର୍କ ନାହିଁ । ତେଣୁ ଏ ବ୍ଲଡ ଗ୍ରୁପର ଲୋକମାନେ କରୋନା ଭୁତାଣୁକୁ ଏତେ ଭୟ କରିବା ଦରକାର ନାହିଁ । ସେହିଭଳି ଓ ଗ୍ରୁପ ବ୍ଲଡ୍ ଥିବା ଲୋକମାନେ ମଧ୍ୟ ଆଶ୍ୱସ୍ତି ହେବା ଅନୁଚିତ । କାରଣ ଆଫ୍ରିକୀୟ ଆମେରିକୀୟଙ୍କ ବ୍ଲଡ ଗ୍ରୁପ୍ ଅଧିକାଂଶ ଓ’ ରହିଥାଏ । କିନ୍ତୁ ସେମାନେ ବି କରୋନା ଦ୍ୱାରା ଅଧିକ ସଂକ୍ରମିତ ହେଉଛନ୍ତି । ତେଣୁ ଓ ବ୍ଲଡ ଗ୍ରୁପର ବ୍ୟକ୍ତି କରୋନାରେ ସଂକ୍ରମିତ ହେବନି ବୋଲି ଭାବି ବୁଲାବୁଲି କରିବା ଆଦୌ ଉଚିତ ନୁହେଁ ଏବଂ ଅନ୍ୟମାନଙ୍କ ଭଳି ସେମାନଙ୍କୁ ବି ସାମାଜିକ ଦୂରତା ବଜାୟ ରଖିବାକୁ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।