ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରୁ ମିଳିଲାନି ରକ୍ତ । ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡିଲେ ସ୍ୱାମୀ । ଖବର ପାଇ ଦେବଦୂତ ସାଜିଲେ ସମାଜସେବୀ

Advertisment
ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରୁ ମିଳିଲାନି ରକ୍ତ । ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡିଲେ ସ୍ୱାମୀ । ଖବର ପାଇ ଦେବଦୂତ ସାଜିଲେ ସମାଜସେବୀ

କନକ ବ୍ୟୁରୋ: ନିଜ ପ୍ରସୂତି ସ୍ତ୍ରୀ ପାଇଁ ରକ୍ତ ନ ମିଳିବାରୁ ବରଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ଶରଣାପନ୍ନ ହେବା ସହ ଅଧିଆ ପଡିବା ଓ ଅଧିଆ ପଡିବାର କିଛି ସମୟ ମଧ୍ୟରେ ରକ୍ତ ଯୋଗାଡ଼ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।ଗୋଟିଏ ପଟେ ବରଗଡ଼ ଟୁକୁର୍ଲା ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଭିତରେ ଥିବା ରକ୍ତ ସଂରକ୍ଷଣ ୟୁନିଟ ବନ୍ଦ ଥିବା ବେଳେ ରୋଗୀ ଏବଂ ସମ୍ପର୍କୀୟ ରକ୍ତ ପାଇଁ ହଇରାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି ।

ଯେତେବେଳେ ରକ୍ତ ପାଇଁ ସ୍ତ୍ରୀର ଜୀବନ ବିପଦରେ ପଡିଥାଏ, ରକ୍ତ ଭଣ୍ଡାରକୁ ଯାଇ ନିରାସ ହେବାକୁ ପଡେ, ସେତେବେଳେ ଠାକୁରାଣୀଙ୍କ ପାଖରେ ସରଣ ପଶନ୍ତି ଜଣେ ସ୍ୱାମୀ । ଆଉ କିଛି ସମୟ ପରେ ଅସହାୟ ବ୍ୟକ୍ତିଙ୍କ ପାଖରେ ଦେବଦୂତ ଭଳି ପହଂଚି ଯାଆନ୍ତି ରକ୍ତଦାତା । ଠିକ୍ ଏମିତି କିଛି ଘଟିଛି ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଚିଚୋଲି ଗାଁର ଜନ୍ମେଜୟଙ୍କ କ୍ଷେତ୍ରରେ ।
ବରଗଡ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପୁତ୍ରଙ୍କୁ ଜନ୍ମ ଦେବା ପରେ ଅସୁସ୍ଥ ହୋଇପଡିଥିଲେ ଜନ୍ମେଜୟଙ୍କ ସ୍ତ୍ରୀ ଭୁବନେଶ୍ୱରୀ । ତାଙ୍କୁ ୩ ୟୁନିଟ୍ ରକ୍ତ ଦେବା ଲାଗି ଡାକ୍ତର ପରାମର୍ଶ ଦେଇଥିଲା ।

ଭୁବନେଶ୍ୱରୀଙ୍କ ବ୍ଲଡ-ଗ୍ରୁପ୍ ଏ’ ନେଗେଟିଭ୍ ହୋଇଥିବାରୁ ରକ୍ତ ମିଳିନଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ବନ୍ଦ ଥିବା ବେଳେ ରକ୍ତଦାତା ନପାଇ ଅସହାୟ ହୋଇପଡିଥିଲେ ଜନ୍ମେଜୟ । ନିରୁପାୟ ହୋଇ ବରଗଡର ମାଆ ସମଲେଇଙ୍କ ମନ୍ଦିରରେ ଅଧିଆ ପଡିଥିଲେ । ଏ ସଂପର୍କରେ ଜାଣିବା ପରେ ରକ୍ତ ଦେବାକୁ ଆଗେଇ ଆସିଥିଲେ ବରଗଡର ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପର ସଦସ୍ୟ ପ୍ରମୋଦ ସାହୁ । ଏ’ନେଗେଟିଭ୍ ବ୍ଲଡ ହୋଇଥିବାରୁ ସେ ବରଗଡ ରକ୍ତ ଭଣ୍ଡାରକୁ ଯାଇ ରକ୍ତ ଦେଇ ଭୁବନେଶ୍ୱରୀଙ୍କ ଜୀବନ ବଂଚାଇ ଦେଇଛନ୍ତି ।

ରକ୍ତ ମିଳିବା ପରେ ମାଆ ସମଲେଶ୍ୱରୀଙ୍କୁ କୋଟି କୋଟି ପ୍ରଣାମ କରିବା ସହ ଦେବଦୂତ ସାଜିଥିବା ରକ୍ତଦାତା ପ୍ରମୋଦଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନ୍ମେଜୟ ସୁନା । ହେଲେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ସଂରକ୍ଷଣ ବନ୍ଦ ଥିବାରୁ ଚିନ୍ତାରେ ପଡିଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ନିକଟରେ ସମ୍ବଲପୁର ଜିଲ୍ଲାରେ ରକ୍ତ ଅଭାବ ଖବର ସାମ୍ନାକୁ ଆସିଥିବା ବେଳେ ବରଗଡରୁ ଆସିଛି ସେହି ରକ୍ତ ଅଭାବର ଚିନ୍ତାଜନକ ଚିତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe