ବାହାଘର ଦିନ ରକ୍ତଦାନ କଲେ ନବଦମ୍ପତି ! ବାଲେଶ୍ୱରରୁ ଆସିଲା ନିଆରା ଚିତ୍ର, ଛୁଟୁଛି ପ୍ରଶଂସାର ସୁଅ

626

କନକ ବ୍ୟୁରୋ : ବିବାହ ଦିନ ରକ୍ତଦାନ । ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ନିଜ ବିବାହ ଦିନ ସାଧାରଣ ଭାବରେ ସମସ୍ତେ ଖୁସି ଥାଆନ୍ତି । ଏମିତିି କି ଅନେକ ବର ଓ କନ୍ୟାପାତ୍ର ନିଜର ବିବାହକୁ ସ୍ମୃତିରେ ରଖିବା ପାଇଁ କିଛି ନୂଆ ଯୋଜନା କରନ୍ତି । ବିବାହ ଜୀବନର ଏକ ଅଭୁଲା ସ୍ମିୃତି ବୋଲି ଅନେକ ମତ ବି ଦିଅନ୍ତି । କିନ୍ତୁ ସଞ୍ଜୟ ଓ ରଶ୍ମିତା ନିଜ ବାହାଘର ଦିନ ଯେଉଁ କାମ କରିଛନ୍ତି ତାହାକୁ କେବଳ ସେମାନେ ନୁହେଁ ବରଂ ପ୍ରତିଟି ବ୍ୟକ୍ତି ତାଙ୍କୁ ମନେ ରଖିବାକୁ ବାଧ୍ୟ ହେବେ । ରକ୍ତଦାନ ମହାନ କାମ, ରକ୍ତ ଦିଅନ୍ତୁ ଅନ୍ୟର ଜୀବନ ବଂଚାନ୍ତୁ ଓ ରକ୍ତଦାନ ମହାପୂଣ୍ୟ । ଏମିତି ଅନେକ ସ୍ଲୋଗାନ କାନ୍ଥ ବାଡରେ ଲେଖାଯାଇଥିବା ଆପଣ ମାନେ ଦେଖିଥିବେ । କିନ୍ତୁ ବାଲେଶ୍ୱରରୁ ଏମିତି ଏକ ଚିତ୍ର ବା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ବି ବାଃ ବାଃ ନକହି ରହିପାରିବେ ନାହିଁ । କାରଣ ନିଜ ବାହାଘର ଦିନ ଏମାନେ ଯାହା କରିଛନ୍ତି ତାହାକୁ ଯିଏ ଦେଖିଛି ସେ ପ୍ରଶଂସା କରିଛି ।

ବାଲେଶ୍ୱର ସଦର ବ୍ଲକ୍ ନିମା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୁଅ ସଂଜୟ ଦାସ ଓ ରଶ୍ମିତା ଦାସଙ୍କର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହି ଦମ୍ପତିଙ୍କ ମନରେ ବିବାହ ଦିନ କିଛି ନୂଆ କରିବାର ଇଚ୍ଛା ରହିଥିଲା ।  ତେଣୁ ବାହାଘର ଦିନ ହିଁ ଆୟୋଜନ କଲେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ବର ଓ କନ୍ୟା ବେଶରେ ସଜେଇ ହୋଇ ରକ୍ତଦାନ ବି କଲେ । ତେବେ ସଂଜୟ ଓ ରଶ୍ମିତାଙ୍କର ଏପରି କାମକୁ ସ୍ଥାନୀୟ ଯୁବକ ଓ ଯୁବତୀ ପ୍ରଶଂସା କରିବା ସହ ନିଜେ ଏହି ରକ୍ତଦାନ ଶିବିରରେ ଅଂଶଗ୍ରହଣ ବି କଲେ ।  ସେପଟେ ପୁଅ ଓ ବୋହୂଙ୍କ ଏପରି କାମକୁ ପ୍ରଂଶସା କରିଛନ୍ତି ସଂଜୟଙ୍କ ବାପା । କହିଛନ୍ତି ଏହା ମୋ ପାଇଁ ବହୁତ ଖୁସିର କଥା । କେବଳ ମୋ ପୁଅ ବୋହୂ କାହିଁକି ସାରା ରାଜ୍ୟରେ ସମସ୍ତେ ରକ୍ତଦାନ କରନ୍ତୁ ଓ ଅନ୍ୟର ଜୀବନ ବଂଚାନ୍ତୁ । କହିବାକୁ ଗଲେ ଅନେକ ବ୍ୟକ୍ତି ରକ୍ତଦାନ କରିବାକୁ ସେତେଟା ଆଗ୍ରହ ଦେଖାଉ ନାହାନ୍ତି । ତେବେ ଏହି ଦୃଶ୍ୟକୁ ଦେଖିବା ପରେ ନିଶ୍ଚିତ ଭାବରେ ରକ୍ତଦାନ କରିବା ପାଇଁ ଏକ ନିଆରା ପ୍ରେରଣା ମିଳିବ ।