କନକ ବ୍ୟୁରୋ: ମାଉଥ୍ ଫ୍ରେସନର ଖାଇବା ପରେ ପାଟିରୁ ବାହାରିଲା ରକ୍ତ । ଦିଲ୍ଲୀ ଗୁରୁଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଖବର । ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟରେ ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ୫ଜଣ ସାଙ୍ଗ । ଘଟଣାଟି ମାର୍ଚ୍ଚ ୨ ତାରିଖ ରାତିର ।
ସୂଚନା ଅନୁସାରେ ଗୁରୁଗ୍ରାମ ସେକ୍ଟର ୯୦ ସ୍ଥିତ ଏକ କାଫେରେ ପତ୍ନୀ ଓ ବନ୍ଧୁଙ୍କ ସହ ଯାଇଥିଲେ ଅଙ୍କିତ କୁମାର । ତେବେ ଖାଇବା ପରେ ସେମାନେ ଯେତେବେଲେ କାଫେରେ ଦିଆଯାଇଥିବା ମାଉଥ୍ ଫ୍ରେସନର ଖାଇଥିଲେ, ସେତେବେଳେ ସେମାନଙ୍କ ମୁହଁରୁ ରକ୍ତ ବାହାରିଥିଲା । ପାଟି ପୋଡାଜଳା ହେବା ସହ ଜିଭ ସାମାନ୍ୟ କଟି କଟି ଯାଇଥିଲା । ପାଣିରେ ମୁହଁ ଧୋଇଥିଲେ ବି କିଛି ଆରାମ ମିଳି ନଥିଲା । ପରେ ସମସ୍ତେ ରକ୍ତ ବାନ୍ତି କରିଥିଲେ । ସଭିଁଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ଥିତି ଗୁରୁତର ଥିବା ଜଣା ପଡିଛି । ମାଉଥ୍ ଫ୍ରେସନର ପାକେଟ୍ ଦେଖି ଏଥିରେ ଏସିଡ୍ ମିଶିଥିବା ଡାକ୍ତର କହିଛନ୍ତି । ଘଟଣାକୁ ନେଇ କାଫେ ମାଲିକ ବିରୋଧରେ ଏକ ମାମଲା ଦାୟର କରିଛି ଗୁରୁଗ୍ରାମ ପୋଲିସ ।