କନକ ବ୍ୟୁରୋ : ଦିନ ପରେ ଦିନ ଗଡ଼ି ଚାଲିଛି। ହେଲେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଦାବି ପୂରଣ ହେଉନି କି ଶିକ୍ଷକମାନେ ବିଦ୍ୟାଳୟକୁ ଫେରୁନାହାନ୍ତି। ଯେଉଁଥିପାଇଁ ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଲାଣି। ୧୬ ଦିନ ହେଲା ୬୬୨ କଲେଜରେ ପାଠପଢ଼ା ବନ୍ଦ। ୪୮୮ କଲେଜ ଏବଂ ୪ ହଜାର ବିଦ୍ୟାଳୟକୁ ପିଲା କି ଅଧ୍ୟାପକ କେହି ଆସୁନାହାନ୍ତି। ତଥାପି ସରକାର ଏବଂ ଶିକ୍ଷକ ସଂଘ ନିଜ ନିଜ ଜିଦ୍ରୁ ହଟିବାକୁ ନାରାଜ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ଚାକିରି ସର୍ତ୍ତାବଳୀ ପ୍ରଦାନ କରିବାକୁ ଶିକ୍ଷକ ସଂଘ ଦାବି କରୁଥିବା ବେଳେ ସରକାର କେବଳ ବ୍ଲକଗ୍ର୍ରାଣ୍ଟ ଉଚ୍ଛେଦ କରିବାକୁ ରାଜି ହେଉଛନ୍ତି। ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ୭ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚୁଲିକୁ ଗଲାଣି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ପ୍ର୍ରତିନିଧି ଏବଂ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମଧ୍ୟରେ ୪ ଥର ଆଲୋଚନା ସରିଲାଣି। ଲୋୟର ପିଏମ୍ଜିରୁ ସଚିବାଳୟ ପର୍ଯ୍ୟନ୍ତ ଘନ ଘନ ବୈଠକ ବସିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନି। ଏପରିକି ଗତକାଲି ବସିଥିବା ତିନି ଘଣ୍ଟାର ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ। ଆଲୋଚନା ଅଧାରେ ଝୁଲି ରହିଥିବାରୁ ଲାଗୁଥିବା ଆଜି ପୁଣିଥରେ ବୈଠକ ବସିବ ଶିକ୍ଷକମାନଙ୍କ ଏହି ଦାବି ସଂପର୍କରେ ଆଲୋଚନା ହେବ ବୋଲି କୁହାଯାଉଥିଲା। କିନ୍ତୁ ସେଭଳି କିଛି ହେଲା ନାହିଁ। ଶିକ୍ଷକମାନେ ଦିନତମାମ ଅପେକ୍ଷା କରି ରହିଥିଲେ ମଧ୍ୟ ବୈଠକ ଲାଗି ଡକରା ଆସିଲାନି । ତେଣୁ ଶିକ୍ଷକମାନଙ୍କ ଅସନ୍ତୋଷ ପୁଣିଥରେ ବଢ଼ିବାରେ ଲାଗିଛି। ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବା ଲାଗି ଶିକ୍ଷକମାନେ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଲାଗି ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଘୋଷଣା କରିପାରନ୍ତି। କିନ୍ତୁ ଚାକିରି ସର୍ତ୍ତାବଳୀ ନେଇ ଯେଉଁ ଟଣାଓଟରା ଜାରି ରହିଛି ତାହା ଦୂର ହୋଇ ନାହିଁ। ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ତେବେ ଗୁରୁବାର ସଚିବାଳୟରେ ଉଭୟ ପକ୍ଷ ମଧ୍ୟରେ ପୁଣିଥରେ ବୈଠକ ବସିବ। ଏହି ବୈଠକରେ ସମାଧାନର ବାଟ ବାହାରିବା ସହ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଦଶହରା ଭେଟି ଦେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆଜି ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ର୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମାହାଲା, ଗୋଲକ ନାୟକ, ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ କୋର୍ କମିଟିର ସଦସ୍ୟମାନେ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଚାକିରି ସର୍ତ୍ତାବଳୀ ନ ଦେଇ ପୂର୍ଣ୍ଣ ଅନୁଦାନ ପ୍ରଦାନ କହିବା ଏକ ପ୍ରବଞ୍ଚନା ଓ ପ୍ରହସନ। ଏହାର ଜବାବ ଆଗାମୀ ଦିନରେ ଦିଆଯିବ। ଗୁରୁ ଦିବସରେ ସାରା ରାଜ୍ୟରେ କଳା ଦିବସ ପାଳିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଭିଭାବକ, ସବୁ ବର୍ଗର ଶିକ୍ଷକ, ଅଧ୍ୟାପକଙ୍କୁ ସାମିଲ କରାଯିବ। ସେପ୍ଟେମ୍ବର ୧୧ରେ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରିଟେଷ୍ଟ ପରୀକ୍ଷା ବାଧାପ୍ରାପ୍ତ ହେବ। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି।