କନକ ବ୍ୟୁରୋ : କଅଁଳ ବୟସରେ ପଡୋଶୀଙ୍କ ଆକ୍ରୋଶର ଶିକାର ହେଲେ । ଏସିଡ୍ ମାଡରେ ଦୁଇ ଆଖି ହରାଇଲେ । ଆଜି କିନ୍ତୁ ହେଲେ ଦଶମ ବୋର୍ଡରେ ଟପ୍ପର।
ଆମେ କହୁଛୁ ହରିୟାଣାର ଝିଅ କାଫି କଥା । କୁନି ଝିଅଟି ହୋଇଥିଲେ । ବୟସ ମାତ୍ର ୩ ବର୍ଷ ହୋଇଥିଲା । ଦୁନିଆ କ’ଣ ଜାଣିନଥିବା କୁନି ଝିଅଟି ଉପରେ ଦାଉ ସାଧିଥିଲେ ପଡୋଶୀ । କୌଣସି ଶତ୍ରୁତାର ପ୍ରତିଶୋଧ ନେବାକୁ କୁନି ଝିଅକୁ କରିଥିଲେ ଟାର୍ଗେଟ । ଦେଖି ସହି ପାରୁନଥିଲେ ପଡ଼ିଶା ଘରର ଲୋକେ । ଆଉ ଦିନେ ସୁଯୋଗ ପାଇ କୁନି ଝିଅ ଉପରେ ଢାଳିଦେଇଥିଲେ ଏସିଡ୍ । ଘର ଲୋକ ଆସିବା ବେଳକୁ ତଳେ ପଡି ଛଟପଟ ହେଉଥିଲେ । କାରଣ ବେଶି ଏସିଡ୍ ପିଲାଟିର ମୁଣ୍ଡ ଓ , ମୁହଁ ଉପରେ ପଡିଥିଲା । କୁନି ଝିଅର ଦୁଇଟି ଯାକ ଆଖି ଓ ମୁହଁ ନଷ୍ଟ ହୋଇଯାଇଥିଲା । ଆଉ ଯିଏ ହୋଇଥିଲେ ହୁଏତ ଚିନ୍ତାରେ ନିଜେ ଘାରି ହୋଇଥାନ୍ତେ ହେଲେ ହାର ମାନିନଥିଲେ କୁନି ଝିଅ କାଫିର ବାପା, ମା’ ।

Advertisment

ଏହି କୁନି ଝିଅକୁ ଏବେ ୧୫ ବର୍ଷ । କାଫି ନାଁରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛି । ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଏହି ଝିଅ ୯୫ ଦଶମିକ ୨୦ ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇପାରିଛି ।

କାଫିଙ୍କ ଏ ସଫଳତାର ରାସ୍ତା କିନ୍ତୁ ଏତେ କଷ୍ଟକର ଯେ, ଆପଣ ଜାଣିଲେ ବି ସଲାମ କରିବେ ସେ ଝିଅକୁ ଏବଂ ତାକୁ ଧୈର୍ଯ୍ୟର ସହ ଏତେବାଟ ଆଣିଥିବା ବାପା ମା’ଙ୍କୁ । କାଫିକୁ ସେତେବେଳେ ମାତ୍ର ୩ ବର୍ଷ ବୟସ ହୋଇଥାଏ । କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ପାଖର କିଛି ଅସହିଷ୍ଣୁ ଲୋକ କୁନି ଝିଅ ଉପରକୁ ଏସିଡ୍ ମାଡ କରିଥିଲେ । ଫଳରେ ଦୁଇଟିଯାକ ଆଖି ସହ ମୁହଁ ପୁରା ପୋଡିଯାଇଥଲା । ବାପା, ମା’ ଝିଅୁ ନେଇ ଅନେକ ଡାକ୍ତର ଦେଖାଇଲେ । ଦିଲ୍ଲୀ, ହାଇଦ୍ରାବାଦ ସବୁ ଏମ୍ସରେ ଦେଖାଇଥିଲେ । ସାମାନ୍ୟ ଲୁହାଲକଡି ଦେକାନ କରି ସଞ୍ଚୟ କରିଥିବା ସବୁ ଅର୍ଥ ସରିଯାଇଥିଲା । ଜମିବାଡି ସବୁ ବିକି ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଝିଅ ପାଇଁ । ତଥାପି କାଫିର ଦୃଷ୍ଟିଶକ୍ତି ଫେରିନଥିଲା । ଶେଷରେ ୨୦୧୯ରେ ଝିଅକୁ ନ୍ୟାୟ ଦେବାକୁ କୋର୍ଟର ଦ୍ୱାରସ୍ଥ ହେଲେ କାଫିର ବାପା । ଏ ସମୟରେ ସେଠାରେ ରହି କୋର୍ଟରେ ୨ ବର୍ଷ ଝାଡୁଦାର ଭାବେ କାମ କରିଥିଲେ । ହେଲେ ଦୁ ଃଖର ବିଷୟ ପୁଲିସ ଏହି ମାମଲାରେ ଏତେ ହାଲକା ଭାବେ ମାମଲା ଦାଏର କରିଥିଲା ଯେ, ମାତ୍ର ୨ ବର୍ଷ ରହି ମୁକୁଳିଯାଇଥିଲେ ଅପରାଧୀ । ନ୍ୟାୟ ଉପରୁ ବିଶ୍ୱାସ ହରାଇ ଝିଅ କାଫିର ଭବିଷ୍ୟତ ଉପରେ ଗୁରୁତ୍ୱ ଦେଇଥିଲେ ବାପା , ମା’ । ଝିଅକୁ ସ୍କୁଲରେ ନାଁ ଲେଖାଇଥିଲେ । ହେଲେ ଦେଖିପାରୁନଥିବାରୁ ସାମାନ୍ୟ ପିଲାଙ୍କ ଠାରୁ ପଛରେ ପଡିଥିଲା କାଫି । ଏଥିପାଇଁ ଚିନ୍ତିତ ବାପା,ମା ଚଣ୍ଡିଗଡ ବିସ୍ଥାପିତ ହୋଇଯାଇଥିଲେ । ସେଠାରେ ଥିବା ‘ଇନଷ୍ଟିଚ୍ୟୁଟ୍ ଫର୍ ବ୍ଲାଇଣ୍ଡ’ ସ୍କୁଲରେ କାଫିର ନାଁ ଷଷ୍ଠ ଶ୍ରେଣୀରେ ଲେଖାଇଥିଲେ ।

ଏଠାରେ କାଫିର ପଢା ପ୍ରତି ଥିବା ଅହେତୁକ ଆଗ୍ରହ ଦେଖି ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବ୍ରେଲି ଲିଖତ ବହି ବ୍ୟତୀତ ପୁସ୍ତକ ସମ୍ପର୍କୀତ ଭିଡିଓ, ଅନ୍ୟ ଡିଜିଟାଲ ମାଧ୍ୟମରେ କାଫି ପଢା ଜାରି ରଖିଲେ । ନିଜର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହ ଶତ୍ରୁତା ଆଚରଣ କରିଥିବା ଅପରାଧୀଙ୍କୁ ଜବାବ ଦେଇଛି । କାଫିକୁ ଅସୀମ ଧୈର୍ଯ୍ୟର ସହ ଏଯାଏଁ ଆଣିଥିାବ ବାପା, ମା’ଙ୍କ ମନରେ ଅପାର ଖୁସି ଆଣିଦେଇଛି ।

ଏଭଳି ଏକ ଝିଅକୁ ପାଇ ସବୁକିଛି ପାଇଥିବା ମନେ କରି ବାପା, ମା ଝିଅର ନାଁ ଦେଇଥିଲେ କାଫି । ମାଟ୍ରିକ ବୋର୍ଡରେ ଟପ୍ପର ହେବା ପରେ ଆହୁରି ଆଗକୁ ଯିବାର ଅଛି ବୋଲି କୁହନ୍ତି କାଫି । ଭବିଷ୍ୟତରେ ଜଣେ ଆଇଏଏସ୍ ହୋଇ ସମାଜର ସେବା କରିବେ ବୋଲି କହିଛନ୍ତି କାଫି ।