କନକ ବ୍ୟୁରୋ : କଠିନ ପରିଶ୍ରମ ଏବଂ ନିଷ୍ଠା କଦାପି ବୃଥା ଯାଏନାହଁ, ବୋଲି କଥାରେ ରହିଛି । ସୋସିଆଲ ମିଡିଆରେ ଜଣେ ଦୃଷ୍ଟିହୀନ ବୃଦ୍ଧଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି । ତଥାପି ପ୍ରତିଦିନ କଠିନ ପରିଶ୍ରମ କରୁଛନ୍ତି । ବୃଦ୍ଧଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତେ ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓକୁ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ସଂସ୍କାର ଖେମାନି ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓକୁ ଏଯାବତ ୧୨ ମିଲିୟନରୁ ଅଧିକ ଥର ଦେଖାଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଛୋଟ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବୃଦ୍ଧ ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି । ଏହି ବୃଦ୍ଧଙ୍କର ନାସିକର ମଖମଲାବାଦ ରୋଡରେ କଦଳୀ ଚିପ୍ସ ଷ୍ଟଲ୍ ରହିଛି । ତେବେ ଦୃଷ୍ଟିଶକ୍ତି ହରାଇବା ପରେ ବି ସେ ହାର ମାନି ନାହାନ୍ତି । କଦଳୀ ଚିପ୍ସକୁ କାଟି ଛାଣିବା ପାଇଁ ଗରମ ତେଲରେ ପକାଉଛନ୍ତି । ତେଲରୁ ବାହାର କରିବା ପରେ ତାଙ୍କର ଜଣେ ହେଲପର ଉକ୍ତ ଚିପ୍ସକୁ ମସଲା ସହିତ ମିଶାଇ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରୁଛନ୍ତି ।
ଭିଡିଓ ମାଧ୍ୟମରେ ସଂସ୍କାର ବୃଦ୍ଧଙ୍କ ଆଖିର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି “ଏହି ବୃଦ୍ଧଙ୍କୁ ନମସ୍କାର । ଯଦି ଆପଣ ନାସିକରେ ରହୁଛନ୍ତି, କି କାହାରିକୁ ଜାଣିଛନ୍ତି ଏହି ବୃଦ୍ଧଙ୍କ ଠାରୁ ଚିପ୍ସ କିଣିବାକୁ ଅନୁରୋଧ କରନ୍ତୁ । ଆମେ ସମସ୍ତେ ମିଶି ବୃଦ୍ଧଙ୍କ ଆଖିର ରଶ୍ମିକୁ ଫେରାଇ ଆଣିବା ।’