ପ୍ରେମ ଅନ୍ଧ ! କେହି କାହାକୁ ଦେଖିନଥିଲେ ବି ସାରା ଜୀବନ ପାଇଁ ସାଥୀ ବନିଲେ ଦୃଷ୍ଟିହୀନ, ମନର ଆଖିରେ ମାପିଲେ ସର୍ମ୍ପକର ନିବିଡତା 

567

କନକ ବ୍ୟୁରୋ :  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପରସ୍ପରଙ୍କ ମୁହଁ ଦେଖିନଥିବା ଦୁଇ ପ୍ରେମୀଯୁଗଳ । କଥାବାର୍ତାରୁ ଆରମ୍ଭ ହୋଇଥିବା ପ୍ରେମ ଏବେ ପରିଚୟ ପାଇଛି । ଦୁହେଁ ଦୁହିଁଙ୍କୁ ଦେଖିନଥିଲେ ବି ପରସ୍ପରର ହାତ ଧରି ସାରା ଜୀବନ ଚାଲିବା ପାଇଁ ପଣ କରିଛନ୍ତି । ଆଉ ଏଥିପାଇଁ ତ ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ବିବାହ କରିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଏକ ବାହାଘର ହୋଇଛି କଟକ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ।

ପ୍ରେମ ଅନ୍ଧ, ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ଏହାକୁ ପ୍ରମାଣିତ କରିଛନ୍ତି ବିବାହ ବେଦୀରେ ବସିଥିବା ଏହି ନବଦମ୍ପତି । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଆଉ ଶେଷରେ ବାହାଘର । ନୟାଗଡରେ ଏକ ଦଶହରା କାର୍ଯ୍ୟକ୍ରମରେ ପରସ୍ପରଙ୍କୁ ଭେଟିଥିବା ନିଳାଂଚଳ ସାବତ ଓ ରଶ୍ମୀରେଖା ପଣ୍ଡା ଏବେ ନୂଆ ସଂସାର ଗଢିବା ପାଇଁ ପଣ କରିଛନ୍ତି । ପରସ୍ପର ଗୋଟିଏ ମଂଚରେ ଗୀତ ଗାଇବା ପରେ ହାତ ଧରି ହୋଇ ବାଟ ଚାଲିବା ପାଇଁ ନିଷ୍ପତି ନେଇଛନ୍ତି । କଟକ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ସଂପୂର୍ଣ୍ଣ ରୀତିନୀତିରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି ।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନବଦମ୍ପତି ଦୁହେଁ ଦୃଷ୍ଟିହୀନ । ନିଳାଂଚଳ ଜନ୍ମର ୨ ବର୍ଷ ପରେ ବସନ୍ତ ରୋଗରେ ପୀଡିତ ହୋଇ ଦୃଷ୍ଟିଶକ୍ତି ହରାଇ ଥିବା ବେଳେ ରଶ୍ମିରେଖା ଜନ୍ମରୁ ଦୃଷ୍ଟିହୀନ । ନିଳାଞ୍ଚଳ ଏବେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇରେ ପଢୁଥିବା ବେଳେ ରଶ୍ମିରେଖା ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରୁଛନ୍ତି । ଏହା ସହ ନିଳାଂଚଳ ଏକ ସଙ୍ଗୀତ ଅନୁଷ୍ଠାନ ସହ ଯୋଡି ହୋଇ ବିଭିନ୍ନ ସ୍ଥାନ ବୁଲି ଗୀତ ଗାଉଛନ୍ତି ।

ତେବେ ଏହି ବିବାହ ପାଇଁ ରଶ୍ମିରେଖାଙ୍କ ପରିବାର ଲୋକ ଅରାଜି ଥିଲେ । ହେଲେ କଟକର ମୋହନ ମଣ୍ଡପର ମାଲିକ ଭଭୟଙ୍କ ପରିବାରକୁ ବୁଝାସୁଝା କରି ନିଜ ଖର୍ଚରେ ଏହି ବିବାହ କାର୍ଯ୍ୟ ସଂପନ୍ନ କରିଛନ୍ତି । ସମାଜରେ ଅନେକ ପ୍ରେମ ସମ୍ପର୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାତ୍ର ନିଳାଂଚଳ ଏବଂ ରଶ୍ମିରେଖାଙ୍କ ଏହି ପ୍ରେମ ବିବାହ ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଛି ।