କୁନିଝିଅ ଆଖିରୁ ହଜିଯାଉଛି ଜ୍ୟୋତି : ଆଖି କ୍ୟାନସରରେ ପୀଡିତ ଝିଅର ଚିକିତ୍ସା ପାଇଁ ଅସମର୍ଥ ଦିବ୍ୟାଙ୍ଗ ବାପା, ମା; ପୂଜାର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାର

143

କନକ ବ୍ୟୁରୋ : ଭଗବାନ ଦିବ୍ୟାଙ୍ଗ ଦମ୍ପତିଙ୍କ ଡାକ ଶୁଣିଲେ । କୋଳରେ ଶିଶୁଟିଏ ଦେଲେ । ହେଲେ ଖୁସି ବେଶି ଦିନ ପାଇଁ ରହିଲା ନାହିଁ । ଝିଅ ଜନ୍ମ ନେବାର ୭ ମାସ ପରେ ଆଖି କ୍ୟାନ୍ସର ବାହାରିଲା । ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଆଖିରୁ ଧୀରେ ଧୀରେ ଦୃଷ୍ଟି ଶକ୍ତି ହଜିଯିବାକୁ ବସିଛି । ଯାହା ଆଖିରେ ଦିବ୍ୟାଙ୍ଗ ଦମ୍ପତି ଦୁନିଆ ଦେଖିବେ ବୋଲି ଆଶା କରିଥିଲେ ସେ ଏବେ ତା’ ଆଖିର ଜ୍ୟୋତି ହରାଇବାକୁ ଯାଉଛି ।

ଅଶୋକ ଆଉ ସୁମିତ୍ରା ଦୁହେଁ ଜନ୍ମରୁ ଦେଖିପାରନ୍ତି ନାହିଁ । ଦୁହେଁ ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ଖୁସିରେ ବୈବାହିକ ଜୀବନ ଗଢ଼ିବାକୁ । ହେଲେ ଜାଣିନଥିଲେ ତାଙ୍କ ଜୀବନରେ ଆଉ ଏକ ବଡ଼ ଦୁଃଖ ସେମାନଙ୍କୁ ଅପେକ୍ଷା କରିଛି । ଦେଢ଼ ବର୍ଷ ତଳେ ଭଗବାନ ଦୁହିଁଙ୍କ କୋଳକୁ ଝିଅଟିଏ ଦେଇଥିଲେ । ଏହି ଦିବ୍ୟାଙ୍ଗ ଦମ୍ପତି ଆଶା ରଖିଥିଲେ ଜୀବନର ଶେଷ ପର୍ଯ୍ୟନ୍ତ ଝିଅ ଆଖିରେ ଦୁନିଆ ଦେଖିବେ । ହେଲେ ଏହି ଆଶା ଆଶାରେ ରହିଗଲା । ଝିଅ ଜନ୍ମରୁ ଦେଖିପାରୁଥିଲା ହେଲେ ଏବେ ଆଖି କ୍ୟାନ୍ସର ପାଇଁ ପୂଜା ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଛି ।

ଝିଅର କ୍ୟାନ୍ସର ଭଲ କରିବା ପାଇଁ ଦିବ୍ୟାଙ୍ଗ ଦମ୍ପତିଙ୍କ ପାଖରେ ଅର୍ଥ ନାହିଁ । ଡାଟା ଏଂଟ୍ରିରେ କାମ କରୁଥିବା ଅଶୋକ ମହମାରୀ ଭିତରେ ନିଜର ଚାକିରୀ ହରାଇ ବସିଛନ୍ତି । କେଉଁଠୁ ଅର୍ଥ ଆଣିବେ ଚିନ୍ତାରେ ଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଦିବ୍ୟାଙ୍ଗ ଦମ୍ପତି ଅନୁରୋଧ କରିଛନ୍ତି ।