ସୋନୁଙ୍କ ମନ ଜିଣିନେଲେ ଦୃଷ୍ଟିହୀନ ଲକ୍ଷ୍ମୀ । କିଛି ଏମିତି କରିଲେ ଯେ ସୋନୁ ପ୍ରଂଶସା ନ କରି ରହିପାରିଲେନି, ଆଉ କହିଲେ ଆପଣ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା ।

220

କନକ ବ୍ୟୁରୋ: ତାଙ୍କର ସିନା ଆଖି ନାହିଁ ହେଲେ ସେ ଲୋକମାନଙ୍କ ଦୁଃଖକୁ ଠିକ ଭାବେ ଅନୁଭବ କରି ପାରିଛନ୍ତି । ଦେଶରେ କରୋନା ଯୋଗୁଁ ଲୋକମାନଙ୍କ କରୁଣ ଚିତ୍କାରକୁ ସେ ଶୁଣିପାରିଛନ୍ତି । ଆଉ ସେଥିପାଇଁ ତ ଏଭଳି ଏକ ସମୟରେ ଲୋକମାନଙ୍କ ସହ ସେ ଛିଡା ହେବାକୁ ଆଗେଇ ଆସିଛନ୍ତି । ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବରିକୁନ୍ତପୁଡୁ ଗାଁର ବୋଦୁ ନାଗା ଲକ୍ଷ୍ମୀ । ନାଗା ଲକ୍ଷ୍ମୀ ଜଣେ ୟୁଟୁବର ମଧ୍ୟ । ୟୁଟୁବରେ ସେ ଅନେକ ଭିଡିଓ ମଧ୍ୟ କରିଛନ୍ତି । ତେବେ କରୋନା କାଳରେ ଲୋକମାନଙ୍କୁ ସହାୟତା କରିବା ପାଇଁ ସେ ଆଗେଇ ଆସିଛନ୍ତି । ଆଉ ସୋନୁ ସୁଦ ପାଉଣ୍ଡେସନକୁ ୧୫ ହଜାର ଟଙ୍କା ଦାନ କରିଛନ୍ତି ।

ସେ ଆମ ଭଳି ଜଣେ ସାଧାରଣ ମଣିଷ ନୁହେଁ । କାରଣ ତାଙ୍କର ଦୃଷ୍ଟିଶକ୍ତି ନାହିଁ । ସେ ଆମ ଭଳି ଦୁନିଆ ଦେଖିପାରନ୍ତିନି ହେଲେ ଲୋକମାନଙ୍କ ଦୁଃଖକୁ ଅନୁଭବ କରିବାର ଶକ୍ତି ରଖିଛନ୍ତି । ସେଥିପାଇଁ ତ ଏଭଳି ବିପଦ ସମୟରେ ନିଜ ସାମର୍ଥ୍ୟ ଅନୁସାରେ ଲୋକମାନଙ୍କ ପାଇଁ ଦାନ କରିଛନ୍ତି । ଆଉ ସେ ଦାନ କରିଥିବା ଟଙ୍କା ହେଉଛି ତାଙ୍କ ୫ ମାସର ପେନସନ ଟଙ୍କା । ସେ ସିଧାସଳଖ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବେନି ବୋଲି । ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କୁ ଭରସା କରିଥିଲେ । ଆଉ ଏହି ଟଙ୍କା ସେ ସୋନୁ ସୁଦ ପାଉଣ୍ଡେସନକୁ ଦେଇଥିଲେ ।

କରୋନା ମହାମାରୀ ଆରମ୍ଭରୁ ଲୋକମାନଙ୍କ ସହ ଦେବଦୂତ ଭାବେ ଛିଡା ହୋଇଛନ୍ତି ସୋନୁ ସୁଦ । ଆଉ ଦ୍ୱିତୀୟ ଲହର ବେଳେ ମଧ୍ୟ ଅକ୍ସିଜେନ ଓ ମେଡିସିନର ଅଭାବ ପୂରଣ କରିବାରେ ଲାଗି ପଡିଛନ୍ତି ସୋନୁ । ଆଉ ଏହି ମହାନ କାମରେ ସୋନୁଙ୍କୁ ଅନେକ ଲୋକ ସହାୟତା ମଧ୍ୟ କରୁଛନ୍ତି । ଅନ୍ୟ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସୋନୁ ସୁଦ ଫାଉଣ୍ଡେସନକୁ ଅର୍ଥ ଦାନ କରୁଛନ୍ତି । ସେହିପରି ନାଗା ଲକ୍ଷ୍ମୀ ମଧ୍ୟ ଏହି ମହାନ କାମରେ ନିଜ ଅର୍ଥ ଦାନ କରିଛନ୍ତି ।

ନାଗା ଲକ୍ଷ୍ମୀଙ୍କ ଏହି କାମ ପାଇଁ ସୋନୁ ସୁଦ ତାଙ୍କୁ ପ୍ରସଂଶା କରିଛନ୍ତି । ଆଉ ଟ୍ୱିଟରରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଏହେଉଛନ୍ତି ବୋଦୁ ନାଗା ଲକ୍ଷ୍ମୀ । ଆନ୍ଧ୍ର ପ୍ରଦେଶର ଏକ ଛୋଟିଆ ଗାଁରେ ତାଙ୍କ ଘର । କରୋନା ସମୟରେ ଲୋକଙ୍କୁ ସହାୟତା ପାଇଁ ସେ ସୋନୁ ସୁଦ ଫାଉଣ୍ଡେସନକୁ ୧୫ ହଜାର ଟଙ୍କା ଦାନ କରିଛନ୍ତି । ଏ ହିଁ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା । ସାହାଯ୍ୟ କରିବାକୁ ଆପଣଙ୍କୁ ଆଖିର ଆବଶ୍ୟକତା ନାହିଁ ।

ସୋନୁ ସୁଦଙ୍କ ଏହି ଟ୍ୱିଟକୁ ଅନେକ ଲୋକ ରି ଟ୍ୱିଟ ମଧ୍ୟ କରିଛନ୍ତି । ଏଭଳି ମହାନ କାମ ପାଇଁ ନାଗା ଲକ୍ଷ୍ମୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଜଣେ ଦୃଷ୍ଟିହୀନ ହୋଇ ମଧ୍ୟ ତାଙ୍କ ଭିତରେ ଲୋକମାନଙ୍କୁ ସହାୟତା କରିବାର ଇଚ୍ଛା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ନିଜ ଆଖିରେ ସେ ଦୁନିଆ ଦେଖିପାରୁନଥିଲେ ମଧ୍ୟ ଲୋକମାନଙ୍କ କଷ୍ଟକୁ ସେ ହୃଦୟଙ୍ଗମ କରିପାରିଛନ୍ତି ।