ପୁଅରେ ତୁ କଣ ଏଇ ପେଟରୁ ଜନ୍ମ ହେଇନୁ ? ଏତେ ହତାଦର କେମିତି କରିପାରିଲୁ? କୁସଂସ୍କାରକୁ ବିଶ୍ୱାସ କରି ମାଆକୁ କୁଷ୍ଠ ରୋଗୀ କହି ଘରୁ ତଡିଦେଲା ପୁଅ । ବାସନ୍ଦ ପରେ ରାସ୍ତାକଡ ପାଇପ ଭିତରେ ଜୀବନ ବିତାଉଛି ଅସହାୟ ମାଆ… ନବରଙ୍ଗପୁର ନନ୍ଦାହାଣ୍ଡିର କାହାଣୀ ଦେଖିଲେ ଆପଣ ବି କହିବେ ଏ ପୁଅ ଥାଇ କି ଲାଭ ?

384

କନକ ବ୍ୟୁରୋ: କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରି ମାଆକୁ ପର କରିଦେଲା ପୁଅ । ବୟସର ଅପରାହ୍ଣରେ ମାଆର ଆଶା ବାଡି ସାଜିବା ବଦଳରେ ମାଆକୁ ବାସନ୍ଦ କଲା ପୁଅ । ବୃଦ୍ଧା ମାଆକୁ କୁଷ୍ଠ ରୋଗ ହୋଇଛି କହି ସାହି ସମାଜ ବାସନ୍ଦ କରିବା ମାଆକୁ ଘରୁ କାଢିଦେଲା ପୁଅ । ଅସହାୟ ଅବସ୍ଥାରେ ରାସ୍ତାକଡ ପାଣି ପାଇପ ଭିତରେ ଜୀବିନ ଜୁଉଁଛି ପୁଅକୁ ଦୁନିଆ ଦେଖାଇଥିବା ମାଆ ।

ମାଆ । ଅନାବିଳ ପ୍ରେମ ଓ ସ୍ନେହର ସାଗର । ଛୁଆ ପାଇଁ ମାଆ କେତେ ରାତି ଅନିଦ୍ରା ହୁଏ, କେତେ ଝଡଝଂଜା ସହେ ତାହା ସମସ୍ତଙ୍କୁ ଜଣା । ହେଲେ ନବରଙ୍ଗପୁରର ଆସିଥିବା ଏହି ଖବର ସଭ୍ୟ ସମାଜକୁ ବିଚଳିତ କରିଦେବ । ମାଆକୁ କୁଷ୍ଠ ରୋଗ ହୋଇଛି କହି ଘରୁ କାଢିଦେଲା ପୁଅ । ଜନ୍ମକଲା ପୁଅ ଘରୁ ବାହାର କରିଦେବା ପରେ ପରିଣତ ବୟସରେ ରାସ୍ତାକଡ ପାଣି ପାଇପରେ କଟୁଛି ମାଆର ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମାଳିଗୁଡା ପରଜା ସାହିର ବୃଦ୍ଧା କମଳା ବିନ୍ଧାଣିଙ୍କୁ କୁଷ୍ଠ ରୋଗ ହୋଇଛି କହି ଗ୍ରାମବାସୀ ବାସନ୍ଦ କରିବା ସହ ଜନ୍ମିତ ପୁଅ ତାଙ୍କୁ ଘରି କାଢି ଦେଇଛନ୍ତି । ଫଳରେ ଦୁର୍ଦୀନ କାଳ କାଟୁଛନ୍ତି ଜଣେ ଅସହାୟ ମାଆ ।

ଘରୁ କାଢିଦେଲା ଜନ୍ମକଲା ପୁଅ
ଆଶ୍ରୟ ଦେଇଛି ରାସ୍ତାକଡ ପୋଲ

କମଳାଙ୍କ କହିବା ଅନୁସାରେ, ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ କୌଣସି କାରଣରୁ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗି ଘା ହୋଇଥିଲା । ସେହି ଘା’କୁ କୁଷ୍ଠ ରୋଗୀ ଦର୍ଶାଇ ତାଙ୍କୁ ବାସନ୍ଦ କରାଯାଇଛି । ପୁଅ ଘରୁ କାଢି ଦେବା ପରେ କମଳାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତା ଓ ପଡି କାର୍ଡର ଚାଉଳ ତାଙ୍କର ଏକମାତ୍ର ସାହା ହୋଇଛି ।

ଅନ୍ଧ ବିଶ୍ୱାସକୁ ଦୂର କରିବା ସହ ସମାଜରେ ଘଟୁଥିବା କୁସଂସ୍କାରକୁ ଦୂର କରିବା ପାଇଁ ସରକାର ସଚେତନତା ସୃଷ୍ଟି କରୁଛନ୍ତି, ହେଲେ ଆଜି ବି ଲୋଲେ ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ରହୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ କମଳା ବିନ୍ଧାଣିଙ୍କ ଏହି ଅସହାୟ ଅବସ୍ଥା ।