କନକ ବ୍ୟୁରୋ: ସମୟ ବଦଳୁଛି ହେଲେ ବଦଳୁନି ମଣିଷର ମାନସିକତା । ଆଜିର ଏହି ବିଜ୍ଞାନ ଯୁଗରେ ମଣିଷ ଯେଉଁଠି ମହାକାଶରେ ଘର କରିବାକୁ ଯୋଜନା କଲାଣି ସେଇଠି ଏଭଳି ବି କିଛିି ଲୋକ ଅଛନ୍ତି ଯେଉଁମାନଙ୍କର ମାନସିକ ସ୍ଥିତି ଏବେବି ଆଦିମ ଯୁଗରେ ଅଟକି ଯାଇଛି । ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଜି ବି ମଣିଷ ଅଣନିଶ୍ୱାସି ଭଳି ଜୀବନ ବିତାଉଛି । ଏବେବି ଅଲୌକିକ ଶକ୍ତିରେ ବନ୍ଧା ପଡିଛି ମଣିଷ । ଭୁତ ଭୟରେ ପିଲାମାନେ ସ୍କୁଲ ଯିବା ବି ବନ୍ଦ କରିଦେଲେଣି । ଖାଲି ଏତିକି ନୁହେଁ ଭୁତ ଭୟରେ କୁଆଁରୀ ଝିଅଙ୍କୁ ଗାଁ ବାହାରକୁ ବିଦା କରି ଦେଉଛନ୍ତି ପରିବାର ଲୋକେ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଝାରବନ୍ଧ ପଂଚାୟତ ନାଗଝର ଗାଁରେ ।

Advertisment

publive-image

ମାତିଛି ପ୍ରେତାତ୍ମା ! ସନ୍ଧ୍ୟା ହେଲେ ଗାଁ ଲୋକେ ଘରୁ ବାହାରିବାକୁ ଭୟଭୀତ । ଏକ ପ୍ରକାର କହିବାକୁ ଗଲେ ଗାଁରେ ଲାଗି ରହିଛି କୋକୁଆ ଭୟ । କାରଣ ଗାଁରେ ମାତିଛି ପ୍ରେତାତ୍ମାର ଭୌତିକ କାଣ୍ଡ ।  କୁଆଁରୀ ଝିଅଙ୍କୁ ଗ୍ରାସିଛି ପ୍ରେତାତ୍ମା ବୋଲି  ଗାଁ ଲୋକେ କହିଛନ୍ତି ।   ନାଗଝର ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି ପାଖାପାଖି ୧୨୦ ଜଣ ଛାତ୍ରଛାତ୍ରୀ । ଗାଁ ଲୋକଙ୍କ କହିବା ଅନୁସାରେ, ଜୁଲାଇ ମାସରେ ସ୍କୁଲରେ ପ୍ରଥମେ ଭୁତ ବାହାରିଲା । ବିଶେଷ କରି ସ୍କୁଲରେ ପାଠପଢୁଥିବା ଝିଅମାନଙ୍କଠାରେ ଭୁତ ସବାର ହେଉଥିବା ଅଜବ ଦାବି କରୁଛନ୍ତି ଗାଁଲୋକେ । ଭୁତ ଲାଗିବା ପରେ ଝିଅଙ୍କ ଆଚରଣରେ ଅସ୍ୱଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ଗାଁଲୋକେ ଯୁକ୍ତି ବାଢିଛନ୍ତି ।ଭୁତ ଭୟରେ ଏବେ ସ୍କୁଲ ଯିବା ବନ୍ଦ କରିଦେଲେଣି ଛାତ୍ରଛାତ୍ରୀ । ଏପରିକି କିଛି ଅଭିଭାବକମାନେ ତ ସେମାନଙ୍କର ପିଲାଙ୍କୁ ପାଖ ଗାଁ ସ୍କୁଲକୁ ପଢିବାକୁ ଛାଡୁଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ଏହି ସ୍କୁଲକୁ ୧୨୦ ପିଲାଙ୍କ ମଧ୍ୟରୁ ମାତ୍ର ୧୬ରୁ ୧୭ ଜଣ ଛାତ୍ରଛାତ୍ରୀ ପଢିବାକୁ ଯାଉଛନ୍ତି ।

publive-image

ତେବେ ଖାଲି ସ୍କୁଲରେ କାହିଁକି ଏହି ଭୁତ ଭୟ ଏବେ ଗାଁକୁ ବି ଡେଇଁଛି । ସନ୍ଧ୍ୟା ହେବା ମାତ୍ରରେ ଗାଁରେ ପଡି ଯାଉଛି ତାଟି ଆଉ କବାଟ ଏବଂ ଭୁତ ଭୟରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ । ସେପଟେ ଗ୍ରାମବାସୀଙ୍କ ମନରୁ ଏଭଳି ଚିନ୍ତାଧାରା ଦୂର କରିବା ପାଇଁ ଗତ ୧୫ ତାରିଖରେ ଖଡିଆଳ ଏସଡିପିଓ ଗାଁକୁ ଯାଇ ଲୋକଙ୍କୁ ବିଝାସୁଝା କରିଥିଲେ ମାତ୍ର ଗାଁ ଲୋକଙ୍କ ମନରେ ଏମିତି ଭୁତ ସବାର ହୋଇଛି ଯେ, କାହାରି କଥାକୁ ସେମାନେ ବିଶ୍ୱାସ କରିବାକୁ ପୂରା ପୂରି ନାରାଜ୍ ।