କାମ ଦେଲାନି ଗୁଣି ଗାରେଡି: ଅନ୍ଧବିଶ୍ୱାସ ଆଗରେ ଅନ୍ଧାର ହୋଇଗଲା ବାପାମାଆଙ୍କ ଆଶା । ତୁଳସୀ ଗଛ ବଞ୍ଚିଲା ହେଲେ ବଞ୍ଚିଲାନି କୁନି ଝିଅ ସଞ୍ଜନା

4,583

କନକ ବ୍ୟୁରୋ: ଆଉ ଉଠିବନି… ଯେତେ ଡାକିଲେ ବି ଜମା ଉଠିବନି… ମାଆର କୋହଭରା କାନ୍ଦ ତା କାନରେ ପଡିବନି କି ଛାତି ଫଟା ଚିକ୍ରାରରେ ସେ ଉଠି ବସିବନି । କାରଣ ସେ ଶୋଇ ଯାଇଛି, ନିଘୋଡ ନିଦରେ ଶୋଇଯାଇଛି । କର୍କଟ ସହ ଯୁଦ୍ଧ କରି ହାରିଯିବା ପରେ ସବୁଦିନ ପାଇଁ ଶେଷ ଶଯ୍ୟାରେ ଶୋଇପଡିଛି କୁନି ଝିଅ ସଞ୍ଜନା ।

ଘର ଅଗଣାରେ ଏବେବି ବିଶ୍ୱାସର ତୁଳସୀ ଗଛ ବଞ୍ଚି ରହିଛି, ହେଲେ ଘର ଭିତରେ ଆଖିବୁଜି ଶୋଇ ପଡିଛି ବାପାମାଆଙ୍କ ଆଶା ବିଶ୍ୱାସ । ଝିଅକୁ ବଞ୍ଚାଇବାକୁ ବାପାମାଆ ଗୁଣିଆ କଥାରେ ପଡି ଏଇ ତୁଳସୀ ଗଛ ଲଗାଇଥିଲେ । ଗୁଣିଆ କହିଥିଲା ଯେତେଦିନ ଯାଏଁ ଏ ଗଛ ବଞ୍ଚି ଥିବ, ସେତେ ଦିନ ଯାଏଁ ତାଙ୍କ ଝିଅ ବଞ୍ଚି ରହିବ । ଆଉ ତାପରେ ବିଶ୍ୱାସର ବୃକ୍ଷ ମୂଳେ ପାଣି ଢାଳି ପୂଜିଥିଲେ ବାପାମାଆ । ଭାବିଥିଲେ ତୁଳସୀ ଗଛରୁ ବିଶ୍ୱାସର ପବନ ସଞ୍ଜନା ଦେହରେ ସଞ୍ଚରି ଯାଇ ତା ପାଇଁ ସଞ୍ଜିବନୀ ପାଲଟିବ । ହେଲେ ସେସବୁ ଭାବନା ଭୁଲ ହୋଇଗଲା, ତୁଳସୀ ଉପରେ ଥିବା ସବୁ ଭରସା ଭାଙ୍ଗିରୁଜି ଚୁରମାର ହୋଇଗଲା ।

କେନ୍ଦୁଝର ସଦର ବ୍ଲକ ଧାତିକା ଗାଁର ଶୁକ୍ର ମହାକୁଡଙ୍କ ୧୦ ବର୍ଷର ସାନ ଝିଅ ସଞ୍ଜନା କର୍କଟରେ ପୀଡିତ ଥିଲା । ସାରା ଦେହକୁ କର୍କଟର ଜୀବାଣୁ ସଂକ୍ରମିତ ହୋଇସାରିଥିବାରୁ ହାତ ଟେକି ଦେଇଥିଲେ ଡାକ୍ତର । ଆଉ ଡାକ୍ତର ଉପରୁ ଭରସା ତୁଟିବା ପରେ ତୁଳସୀ ଉପରେ ଭରସା କରିଥିଲେ ସଞ୍ଜନାର ପରିବାର । ତେବେ ଆଜି ସକାଳେ ଝିଅ ପାଇଁ ମାଆ ଘର ଅଗଣାରେ ତୁଳସୀ ମୂଳେ ମୁଣ୍ଡିଆ ମାରିଥିଲା ହେଲେ ଘର ଭିତରେ ପହଞ୍ଚିଲା ବେଳକୁ ଆଉ ସଞ୍ଜନା ନଥିଲା… ସମସ୍ତଙ୍କୁ ପର କରି ସଞ୍ଜନା ସେପାରିକୁ ଚାଲି ଯାଇଥିଲା…

ସଞ୍ଜନା ଯିବା ପରେ ଅଗଣାର ତୁଳସୀ ହୁଏତ ସେମିତି ରହିଥିବ । ଆଜି ନହେଲେ ବି କାଲି ସଞ୍ଜନାର ମାଆ ତୁଳସୀ ମୂଳେ ପାଣି ଢାଳି ମୁଣ୍ଡିଆ ମାରିବେ । ହେଲେ ସେତେବେଳେ ତୁଳସୀକୁ ଦେଖି କୁନି ଝିଅର ମାଆ ତୁନି ହୋଇ ପାରିବ ତ ? ଯେଉଁ ମାଆ ଦିନେ ଘରର ତୁଳସୀ ପାଇଁ ଚଉରାର ତୁଳସୀ ମୂଳରେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ଆଶାର ପାଣି ଢାଳୁଥିଲା ଆଜି ତା ବିଶ୍ୱାସ ସେ ତୁଳସୀ ଉପରେ ସେମିତି ରହିବ ତ ?