ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ ହତ୍ୟାକାରୀ

ମାଲକାନଗିରି ପଡିଆ ଅଂଚଳରୁ ଆସିଲା ଅଭାବନୀୟ ଖବର

138

କନକ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କଲେ, ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ । ଏଭଳି ଅଭବାନୀୟ ଖବର ଆସିଛି ମାଲକାନଗିରି ପଡିଆ ଅଂଚଳରୁ । ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗାଁର କିଛି ଲୋକ ସେହି ଗାଁର କାରାମ କାନା ନାମଙ୍କ ବ୍ୟକ୍ତିଙ୍କୁ ଘରୁ ଡାକିଆଣି ଗଳାକାଟି ହତ୍ୟା କରିଥିଲେ ।

ପରେ ମୃତଦେହକୁ ୨ କିଲୋମିଟର ବୋହି ନେଇ ଶାବେରୀ ନଦୀ କୂଳରେ ମୁଣ୍ଡକାଟି ମୁଣ୍ଡକୁ ଜାଳିଦେଇଥିବାବେଳେ ଶରୀରକୁ ନଦୀ କୂଳରେ ପୋତିଦେଇଥିଲେ । ଏ ନେଇ ମୃତକଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ପଡିଆ ପୁଲିସ ତନାଘନା କରିଥିଲେ । ପରେ ମୋଟୁ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଗଭୀର ବାଲିରୁ ଉଦ୍ଧାର କରାଯାଇଛି । ଘଟଣାରେ କିଛି ଜଣକୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ ।

ସୂଚନା ଅନୁଯାୟୀ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନା ଙ୍କୁ ଘରୁ ଡାକିଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀର ରୁ ଅଲଗା କରି ପୋଡିଦେଇଥିବା ବେଳେ ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠା ରେ ପୋତି ଦେଇଥିଲେ। ଆଜି ସକାଳେ ମୃତକର ସ୍ତ୍ରୀ କାରାମ ଭିମେ ପଡିଆ ଥାନାରେ ଆସି ଲିଖିତ ଅଭିଯୋଗ କରିବା ପରେ ପଡିଆ ଥାନା ଆଇଆଇସି ରଞ୍ଜନ କୁମାର ମାଝୀ, ଏସଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ପଚରାଉଚୁରା କରିବା ସହ ମୃତ ଶରୀର ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା।

ଏଥିସହ କୋରାପୁଟ ରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏକଜୁକେଟିଭ ମାଜିଷ୍ଟ୍ରେଟ ତଥା ମୋଟୁ ତହସିଲଦାର ଶଶାଙ୍କ ମିଶ୍ର ଙ୍କ ଉପସ୍ଥିତିରେ ମୃତଦେହ କୁ ଗଭୀର ବାଲିରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହକରି ଗ୍ରାମର କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି।