ଭୋକରୁ ଭକ୍ତି ! ଭଗବାନ ସିନା ଆଖି ନେଇଗଲେ, ହେଲେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ହାତପାତି ମନ୍ଦିର ତିଆରି କଲେ ଦିବ୍ୟାଙ୍ଗ ଭିକାରି ।

831

କନକ ବ୍ୟୁରୋ : ଦୃଷ୍ଟିଶକ୍ତି ନାହିଁ ତଥାପି ଜୀବନରେ ହାର ମାନି ନାହାନ୍ତି । ଦୃଷ୍ଟି ଶକ୍ତି ହରାଇ ଥିବା ଲୋକକୁ କାମ କିଏ ଅବା ଦବ । ତଥାପି ଭାଙ୍ଗିପଡ଼ିନାହାନ୍ତି କୈଳାଶ । ପ୍ରତିଦିନ ଭିକ୍ଷା ମାଗି ଚଳନ୍ତି । ଏହି ଭିକ୍ଷା ମଗା ଟଙ୍କାରେ ନିଜେ ଚଳିବା ସହ ଗାଁରେ ଗଢ଼ିଛନ୍ତି ତ୍ରିନାଥ ମନ୍ଦିର । କୈଳାଶଙ୍କ ଏପରି କାମ ପାଇଁ ଗାଁ ଲୋକ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଶେଷ ସାହାରା ହାତରେ ଥିବା ଖଣ୍ଡେ ବାଡ଼ି । ଯାହାକୁ ଧରି ଠାଉରେଇ ଠାଉରେଇ ଚାଲନ୍ତି ଦିବ୍ୟାଙ୍ଗ କୈଳାଶ ମଲ୍ଲିଫୁଲ । ଆଖିକୁ ଦେଖାଯାଏନି, ଏହି ଅବସ୍ଥାରେ କାମ କିଏ ଦେବ । ଶେଷରେ ରାସ୍ତାକଡ଼ରେ ଭିକ୍ଷାବୃତି କରି ଜୀବିକା ନିର୍ବାହ କରନ୍ତି କୈଳାଶ । ପରିବାର କହିଲେ ସେ ଓ ତାଙ୍କ ସ୍ତ୍ରୀ । ରାୟଗଡ଼ା ଗୁଣୁପୁର ବ୍ଲକର ଭାନୁମତି ଗାଁରେ ରୁହନ୍ତି । ହେଲେ ଏହି ଅବସ୍ଥାରେ ସେ କିଛି ଏପରି କାମ କରିଛନ୍ତି ଯାହା ପାଇଁ ଆଜି ସମସ୍ତଙ୍କ ପ୍ରଂଶସାର ପାତ୍ର ହୋଇଛନ୍ତି । ଏପରି ଅବସ୍ଥାରେ ଭିକ୍ଷାବୃତି କରି ଗାଁରେ ତ୍ରିନାଥ ମନ୍ଦିର ନିର୍ମାଣ କରିଛନ୍ତି ।

ପୂର୍ବରୁ ଏପରି ନଥିଲେ କୈଳାଶ । ଅନ୍ୟମାନଙ୍କ ପରି ସେ ବି ସ୍ୱାଭାବିକ ଥିଲେ । ହେଲେ ହଠାତ ଦୃଷ୍ଟିଶକ୍ତି ଚାଲିଗଲା । ଚିକିତ୍ସା ପରେ ମଧ୍ୟ ମିଳିଲାନି ସଫଳ । ଶେଷରେ କୈଳାଶ ବାଧ୍ୟ ହୋଇ ଭିକ୍ଷାବୃତି କଲେ । ୩ବର୍ଷ ଧରି ଗାଁ ଗାଁ ବୁଲି ଭିକ୍ଷା ମାଗିଲେ । ସେହି ପଇସାରେ ନିଜେ ଚଳିବା ସହ ବଳକା ଟଙ୍କାରେ ଗାଁରେ ତିଆରି କଲେ ମନ୍ଦିର । କୈଳାଶଙ୍କ ଏହି ମହତ ପଣିଆକୁ ନେଇ ଖୁବ ଖୁସି ଅଛନ୍ତି ଗ୍ରାମବାସୀ । ସରକାରୀ ସ୍ତରରେ କୈଳାଶଙ୍କୁ ସହଯୋଗ ମିଳିଲେ ତାଙ୍କ ଆର୍ଥିକ ସ୍ଥିତିରେ ସହଯୋଗ ମିଳିବ ବୋଲି ଗାଁ ଲୋକ କହିଛନ୍ତି ।

କୈଳାଶଙ୍କ ଏପରି କାର୍ଯ୍ୟ ସାଧାରଣରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଦିବ୍ୟାଙ୍ଗ ହେଲେ ମଧ୍ୟ କୌଣସି କାମ କରିବା ପାଇଁ ଦୁର୍ବଳ ନୁହଁନ୍ତି ବୋଲି କୈଳାଶ ପ୍ରମାଣ କରିଦେଇଛନ୍ତି ।