ରୁଷ-ୟୁକ୍ରେନ ଯୁଦ୍ଧ । ଜାତିସଂଘ ମୁଖ୍ୟ ୟୁକ୍ରେନ୍ ଗସ୍ତରେ ଥିବାବେଳେ ରାଜଧାନୀ କିବ୍ ଉପରେ ରୁଷିଆର ଆକ୍ରମଣ । ମିସାଇଲ ମାଡରେ ଆକାଶ ଧୁଆଁମୟ

237

କନକ ବ୍ୟୁରୋ : ୟୁକ୍ରେନ – ରୁଷିଆ ଯୁଦ୍ଧ ଏହା ଭିତରେ ୬୫ ଦିନରେ ପହଞ୍ଚିଛି । ଯୁଦ୍ଧ ରୋକିବା ପାଇଁ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ ସତ୍ତ୍ୱେ ବି, କାହା କଥା ଶୁଣି ନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି ରଖିଛି ପୁଟିନ ସେନା । ଏପରିକି ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟ ଏଂଟୋନିୟୋ ଗୁଟେରସ୍ ୟୁକ୍ରେନ୍ ରାଜଧାନୀ କିବରେ ଥିବାବେଳେ ମିଜାଇଲ ମାଡ କରିଛି ରୁଷ୍ ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଭେଟିବାର ମାତ୍ର ୧ ଘଣ୍ଟା ପରେ ୟୁକ୍ରେନ୍ ରାଜଧାନୀ କିବରେ ୨ ଟି ମିସାଇଲ୍ ମାଡ କରିଛି ରୁଷ୍ । ତେବେ ମିସାଇଲ୍ ମାଡରେ କିଭର ଜଣେ ବ୍ୟକ୍ତିଙ୍କ ମୂତ ହୋଇଥିବା ସୂଚନା ମିଳିଛି । ସେହିପରି ୧୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଜାତିସଂଘ ପ୍ରମୁଖଙ୍କ ସହ ତାଙ୍କ ପୁରା ଟିମ୍ ସୁରକ୍ଷିତ ଥିବା ସୂଚନା ମିଳିଛି । ୟୁକ୍ରେନ ଯିବା ପୂର୍ବରୁ ମସ୍କୋ ଯାଇ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା, କରିଥିଲେ ଏଂଟୋନିୟୋ । ଯୁଦ୍ଧ ବନ୍ଦ କରିବା ପାଇଁ ଅପିଲ କରିଥିଲେ । ହେଲେ, ରୁଷ୍ ସେନା ଏବେ ବି ଜାରି ରଖିଛି ଆକ୍ରମଣ ।