ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ । ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା ।

120

କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଥରି ଉଠିଛି ଆଫଗାନିସ୍ତାନ । ଆଫଗାନିସ୍ତାନରେ ପୁଣି ଘଟିଛି ବିସ୍ଫୋରଣ । ସେଠାକାର କୁନ୍ଦୁଜ ସହରରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଯେଉଁଥିରେ ପ୍ରାୟ ୫୦ ଲୋକ ପ୍ରାଣ ହରାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ବିସ୍ଫୋରଣ କିପରି ହେଲା ଓ କିଏ କରିଛି ସେନେଇ ସଠିକ୍ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ଏହାପୂର୍ବରୁ ସେପ୍ଟେମ୍ବର ୧୬ ତାରିଖରେ କାବୁଲର ବିମାନବନ୍ଦରରେ ରକେଟ୍ ମାଡ ହୋଇଥିବା ଦେଖିବାକୁ ମିଳିଥିଲା । ସେଠାକାର ଏକ ପାଓ୍ୱାର ଷ୍ଟେସନ ଉପରେ ଅତର୍କିତ ଭାବେ ଆକ୍ରମଣ ହୋଇଥିଲା । ସେହିପରି  ଆଫଗାନିସ୍ତାନର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗଷ୍ଟ ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ସେହି ସମୟରେ ହୋଇଥିଲା, ଯେଉଁ ସମୟରେ ବିଶ୍ୱର ବଡ ବଡ ଦେଶ ନିଜ ନାଗରିକଙ୍କୁ କାବୁଲରୁ ନିଜ ଦେଶକୁ ସ୍ଥାନାନ୍ତରିତ କରୁଥିଲେ । ତେବେ ଏହାର କିଛି ଦିନ ପରେ ଏବେ ପୁଣି ବିସ୍ଫୋରଣରେ ଥରିଛି ଆଫଗାନିସ୍ତାନ ।