ଶ୍ରୀଲଙ୍କାରେ ଆତ୍ମଘାତୀ ବୋମା ବିସ୍ଫୋରଣ । ୨୧୫ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ୩ ଭାରତୀୟ ।

ଶ୍ରୀଲଙ୍କାରେ ଆତ୍ମଘାତୀ ବୋମା ବିସ୍ଫୋରଣ । ୨୧୫ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ୩ ଭାରତୀୟ ।

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୧୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ସେହିଭଳି ମୃତକଙ୍କ ମଧ୍ୟରେ ମୋଟ ୩୫ ଜଣ ବିଦେଶୀ ରହିଥିବା ଜଣାପଡିଛି । ପୂର୍ବରୁ କେବଳ ଜଣେ ଭାରତୀୟ ମହିଳା ନିହତ ହୋଇଥିବା ନେଇ ସୂଚନା ମିଳିଥିଲା। ଏ ନେଇ କଲମ୍ବୋସ୍ଥିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା +୯୪୭୭୭୯୦୩୦୮୨, +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯, +୯୪୭୭୭୯୦୨୦୮୨ ଏବଂ +୯୪୭୭୨୨୩୪୧୭୬। ଏହି ନମ୍ବର ଜରିଆରେ ମୃତାହତଙ୍କ ସଂପର୍କରେ ସୂଚନା ମିଳିପାରିବ।

ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ କରି ଜଣାଇଛନ୍ତି ଯେ, ବମ ବିସ୍ଫୋରଣରେ ୩ ଭାରତୀୟଙ୍କ ମୃତ୍ୟୁ ଖବର ନେଇ ତାଙ୍କୁ କଲମ୍ବୋରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସୂଚନା ଦେଇଥିଲେ । ମୃତ୍ୟୁ ବରଣ କରିଥିବା ୩ ଭାରତୀୟ ହେଲେ ଲକ୍ଷ୍ମୀ, ନାରାୟଣ ଚନ୍ଦ୍ରଶେଖର ଓ ରମେଶ । ଏହାଛଡା ଭାରତ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସୁଷମା ସ୍ୱରାଜ ।

ସମଗ୍ର ବିଶ୍ୱ ସମେତ କଲମ୍ବୋରେ ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଆଜି ସକାଳୁ ଗୋଟିଏ ପରେ ଗୋଟିଏ ୮ଟି ବୋମା ବିସ୍ଫୋରଣ ଘଟିଥିଲା। ରିପୋର୍ଟ ଲେଖାଯିବା ବେଳକୁ ୨୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କର ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଦୀପରାଷ୍ଟ୍ର ଶ୍ରୀଲଙ୍କାରେ ଆଜି ସକାଳୁ କ୍ରମାଗତ ୮ଟି ବୋମା ବିସ୍ଫୋରଣ ହୋଇଥିଲା। ବୋମାଗୁଡ଼ିକ ହୋଟେଲ ଏବଂ ଚର୍ଚ୍ଚ ଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଫଳରେ ଏହି ଘଟଣାରେ କିଛି ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe