ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ । ୩ ଲୋକ ଆହତ, ବିଜେପିକୁ ଦୋଷ ଦେଲା ଟିଏମସି ।

238

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ । ଶୁକ୍ରବାର ବାଙ୍କୁରାର ଜୟପୁର ସ୍ଥିତ ଟିଏମସି କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୩ ଜଣ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ହୁଗୁଳିର ଆରାମବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ବିସ୍ଫୋରଣ ଘଟଣାକୁ ନେଇ ଉଭୟ ବିଜେପି-ଟିଏମସି ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହି ବିସ୍ଫୋରଣ ପଛରେ ବିଜେପିର ହାତ ଅଛି ବୋଲି ଟିଏମସି କହୁଥିବାବେଳେ, ବିଜେପି ଟିଏମସି ଅଫିସରେ ବୋମା ତିଆରି ହେଉଥିବାବେଳେ ବିସ୍ଫୋରଣ ଘଟିଥିବା କହିଛି । ତେବେ ବିସ୍ଫୋରଣ ଘଟିବା ପରେ କେନ୍ଦ୍ରୀୟ ବଳ ପହଞ୍ଚି ସେଠାରେ ପରିସ୍ଥିତିକୁ କାବୁ କରିନେଇଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏହି ହିଂସାକାଣ୍ଡ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ବେଙ୍ଗଲ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଏହି ମାମଲାରୁ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲିଠୁ ପଶ୍ଚିମବଙ୍ଗରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଯେଉଁଠି ମମତାଙ୍କ ଶାସିତ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଗୋଟିଏ ପଟେ ଦିଦି ଥିବାବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଘନ ଘନ ପ୍ରଚାର କରି ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି । ଆଉ ଏଭଳି ସମୟରେ ପଶ୍ଚିମବଙ୍ଗରେ ଟିଏମସି କାର୍ଯ୍ୟାଳୟ ଉପରେ ବିସ୍ଫୋରଣ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।