ଜେଲରେ ଟାଇଗର ! ହାଇ ସିକ୍ୟୁରିଟି ସେଲରେ ରହିବେ ସଲମାନ, ଖାଇବେ କଏଦୀଙ୍କ ଖାଦ୍ୟ ।

70
କୃଷ୍ଣ ମୃଗ ଶିକାର ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି । ଏହା ସହ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ, ଅଭିନେତ୍ରୀ ନୀଲମ, ସୋନାଲୀ, ତବୁ ଏବଂ ଦୁଷ୍ୟନ୍ତ ସିଂହଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ସଲମାନ ଖାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ସେଣ୍ଟ୍ରାଲ ଜେଲକୁ ନିଆଯାଇଛି । ଏହା ପୂର୍ବରୁ ମଧ୍ୟ ସଲମାନ ଦୁଇ ଥର ଜେଲ ଯାଇସାରିଛନ୍ତି ।
ଯୋଧପୁର ଜେଲର ଡିଆଇଜି କହିଛନ୍ତି ଯେ, ଏହି ନିଷ୍ପତ୍ତିକୁ ନଜରରେ ରଖି ଗତକାଲିଠାରୁ ଜେଲର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେଲର ବାଥରୁମ ଉତ୍ତମ ସ୍ଥିତିରେ ଅଛି । ଜେଲ ଭିତରେ ସଲମାନ ଖାନଙ୍କୁ ସେହି ସବୁ ଖାଦ୍ୟ ଖାଇବାକୁ ଦିଆଯିବ ଯାହା ଅନ୍ୟ କଏଦୀ ମାନଙ୍କୁ ଦିଆଯାଇଥାଏ । ସଲମାନଙ୍କୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି, ଯେଉଁଥିରେ ଆଶାରାମ ପୂର୍ବରୁ ସେଠାରେ ଅଛନ୍ତି ।
କୃଷ୍ଣ ମୃଗ ଶିକାର ମାମଲାରେ ୨୦୦୬ ମସିହାରେ ସଲମାନ ଯୋଧପୁର ଜେଲରେ ରହିଥିଲେ । ଆଉ ଜେଲରୁ ଫେରିବା ପରେ ଜେଲ ଭିତରେ ହୋଇଥିବା ଅସୁବିଧା ଗୁଡିକୁ ଏକ ସାକ୍ଷାତକାରରେ କହିଥିଲେ । ଜେଲର ଅଭିଜ୍ଞତାକୁ ନେଇ ସଲମାନ କହିଥିଲେ ଯେ, ଜେଲରେ ସେ ବହୁତ ସାରା ମଜାମସ୍ତି କରିଥିଲେ, ଏହା ସହ ଜେଲରେ ସେ ସମ୍ମୁଖୀନ ହୋଇଥିବା ଅନେକ ଅସୁବିଧା ସମ୍ପର୍କରେ ମଧ୍ୟ କହିଥିଲେ ।
ସଲମାନ କହିଥିଲେ ଯେ, ଜେଲରେ ତାଙ୍କୁ କେବଳ ବାଥରୁମର ଟେନସନ ୍ ରହିଥିଲା । ବାରାକରେ ଟଏଲେଟ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ମଶା ମାନଙ୍କର ପ୍ରକୋପ ମଧ୍ୟ ବହୁତ ଅଧିକ ରହିଥିଲା । ୯-୧୨ ଜଣ ଲୋକଙ୍କ ପାଇଁ ଗୋଟିଏ ବାଥରୁମ ଏବଂ ଗୋଟିଏ ଟଏଲେଟ ରହିଥିଲା । ସାଲମାନ ଖାନ ହସି ହସି କହିଥିଲେ ଯେ, ନ୍ୟାୟିକ ହେଫାଜତରେ ଯେତେବେଳେ ସେ ସେଣ୍ଟ୍ରାଲ ଜେଲରେ ଥିଲେ, ସେତେବେଳେ ତାଙ୍କୁ ଅଲଗା ସେଲ ମିଳିଥିଲା ।
ସଲମାନ କହିଥିଲେ ଯେ, ତାଙ୍କୁ ସପ୍ତାହରେ ଗୋଟିଏ ଥର ନିଜ ପରିବାର ଲୋକଙ୍କ ସହ ସାକ୍ଷାତ କରିବା ପାଇଁ ଅନୁମତି ରହିଥିଲା । ଜେଲରେ ସକାଳୁ ମଗରେ ଚାହା ଦିଆଯାଉଥିଲା । ଯାହାକୁ ସଲମାନଙ୍କୁ ନିଜେ ଧୋଇବା ପାଇଁ ପଡୁଥିଲା । ଜେଲରେ ବାହାର ଖାଦ୍ୟ ସାମଗ୍ରୀ ମନା ଥିଲା । ଜେଲରେ ଥିବା ଜିମ୍ ରେ ସଲମାନ ବ୍ୟାୟାମ୍ କରୁଥିଲେ । ସେ ଦିନରେ ଦୁଇ ଥର ପୁଶଅପ ଏବଂ କ୍ରଂଚେସ ମାରୁଥିଲେ ।
ସୁଟିଙ୍ଗ ସମୟରେ ଶିକାର ମାମଲା :
ସୂଚନା ଅନୁଯାୟୀ, ୧୯୯୮ ମସିହାରେ ଯୋଧପୁରରେ ନିଜ ଫିଲ୍ମ ହମ ସାଥ ସାଥ ହେଁ ର ସୁଟିଙ୍ଗ ସମୟରେ ସଲମାନଙ୍କ ଉପରେ କୃଷ୍ଣ ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସଲମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସଲମାନଙ୍କୁ ୫ଦିନ ପାଇଁ ଜେଲରେ ରହିବାକୁ ପଡିଥିଲା । ୧୯୯୮ ସେପ୍ଟେମ୍ବର ୨୨ ତାରିଖରେ ସଲମାନଙ୍କ ରୁମରୁ ପୋଲିସ ଏକ ବନ୍ଧୁକ ଏବଂ ରାଇଫଲ ଜବତ କରିଥିଲା ।
ସଲମାନଙ୍କ ନାଁରେ ମାମଲା ରୁଜୁ :
ଏହି ମାମଲାରେ ବନ ଅଧିକାରୀ ଲଲିତ ବୋଡା ଯୋଧପୁରର ଲୁଣି ପୋଲିସ ଷ୍ଟେସନରେ ୧୯୯୮ ମସିହା ଅକ୍ଟୋବର ୧୫ତାରିଖରେ ସଲମାନଙ୍କ ବିରୋଧରେ ଏତଲା ଦାୟର କରିଥିଲେ । ପୋଲିସ ଦ୍ୱାରା ଦାୟର ହୋଇଥିବା ଏତଲା ଅନୁଯାୟୀ, ୧୯୯୮ ଅକ୍ଟୋବର ୧,୨ରେ ମଧ୍ୟରାତ୍ରୀରେ ସଲମାନ କାଂକାଣୀ ଗ୍ରାମର ସୀମାରେ ଦୁଇଟି କୃଷ୍ଣ ମୃଗ ଶିକାର କରିଥିଲେ ।