ଖରା ଆରମ୍ଭରୁ ଜଳକଷ୍ଟ । ବଲାଙ୍ଗିରରେ ଲୋକଙ୍କୁ ପିଏଚଡି ବିଭାଗ ଦେଉଛି କଳା ପାଣି । 

68

କନକ ବ୍ୟୁରୋ: ଖରା ଦିନ ଆସିବା ସହ ତାତି ଓ ଜଳ ସମସ୍ୟା ବି ବଢିଲାଣି । କୋଉଠି ଜଳ ଯୋଗାଣ ବ୍ୟବସ୍ଥା ଖରାପ ତ କେଉଁଠି ନଳକୂପ ନାହିଁ ।  ତେଣୁ ବାଧ୍ୟ ହୋଇ ଲୋକଙ୍କୁ ପିଏଚଡିରେ ଆସୁଥବା ଦୂଷିତ ପାଣି ପିଇବାକୁ ପଡୁଛି । ଏଭଳି ଏକ ଖବର ଆସିଛି ବଲାଙ୍ଗିର ଜିଲ୍ଲା ରାଧାରାଣୀ ପଡାରୁ । ସହରରେ ପିଏଚଡି ବିଭାଗ ପକ୍ଷରୁ ପାଇପ ଯୋଗେ ଯୋଗାଇ ଦିଆଯାଉଛି କଳା ମିଚମିଚ୍ ପାଣି । ଯାହାକୁ ପିଇବେ କଣ ଦେଖିବାକୁ ବି ଲୋକଙ୍କ ଇଛା ହେଉନାହିଁ । ଖରା ଆରମ୍ଭରୁ ଏମିତି କଳା ଓ ଦୁର୍ଗନ୍ଧଯୁକ୍ତ ପାଣିକୁ ନେଇ ଚିନ୍ତାରେ ପଡିଛନ୍ତି ସେଠାକାର ସ୍ଥାନୀୟ ବାସିନ୍ଧା ।

ଲୋକେ ପାଣିକୁ ଅପେକ୍ଷା କରି ରହୁଥିବା ବେଳେ ଅପରିଷ୍କାର ପାଣି ଆସୁଛି । ବାରମ୍ବାର ଏଭଳି ପାଣି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ନଜର ଦେଉନାହାନ୍ତି । ସେପଟେ ପଏଚଡି ବିଭାଗକୁ ବଦନାମ କରିବା ପାଇଁ ପଡାବାସୀ ଏଭଳି ଅଭିଯୋଗ କରୁଥିବା କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ । କିନ୍ତୁ କ୍ୟାମେରା ସାମ୍ନାରେ କହିବାକୁ ଉପରୁ ନିର୍ଦେଶ ନଥିବା କହି ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି ସରକାରୀ ବାବୁ । ପ୍ରତିବର୍ଷ ଖରାରେ ବଲାଙ୍ଗୀର ରେକର୍ଡ କରେ । ଏ ବର୍ଷ ବି ଖରାକୁ ନେଇ ଭୟ ରହିଛି । ଆଉ ଏହାରି ଭିତରେ ଯଦି ପିଇବା ପାଣିର ସମସ୍ୟା ରୁହେ, ତେବେ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ରହିଛି ।