ବ୍ଲାକ ଟାଇଗର ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା : ହାତରେ ମାରଣାସ୍ତ୍ର ଧରି ଭିଡିଓ କରିବା ପରେ ସୋସିଆଲ ମିଡିଆରେ କଲେ ପୋଷ୍ଟ

ପେସାଦାର ଅପରାଧୀ ହୋଇଥିବା ଅନୁମାନ

355

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କେବିଏନ ଗ୍ୟାଙ୍ଗ ଏବଂ କଟକରେ ପବ୍ଲିକ ଷଣ୍ଢ ଗ୍ୟାଙ୍ଗ ପରେ ବଲାଙ୍ଗୀରର ବ୍ଲାକ ଟାଇଗର ଗ୍ୟାଙ୍ଗକୁ ନେଇ ଚର୍ଚ୍ଚା । ହାତରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଭୟ ସୃଷ୍ଟି କଲାଭଳି ଫଟୋ ଓ ଭିଡିଓ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । କୁହାଯାଉଛି ବଲାଙ୍ଗୀରରେ ଗ୍ୟାଙ୍ଗୱାର ବଢି ଚାଲିଥିବାବେଳେ ନୂଆନୂଆ ଗ୍ୟାଙ୍ଗ ସୃଷ୍ଟି ହେଉଥିବା ନେଇ ଭିଡିଓ ସବୁ ସାମ୍ନାକୁ ଆସୁଛି । ଗୁରୁବାର ଏହି ବ୍ଲାକ ଟାଇଗର ଗ୍ୟାଙ୍ଗର ଭିଡିଓ ଭାଇରାଲ ହୋଇଛି ।

ପ୍ରାୟ ୩୦ ଜଣ ଯୁବକ ମାରଣାସ୍ତ୍ର ଧରି ଶିବ ପ୍ରସାଦ ବେହେରାଙ୍କ ଘରେ ଆତଙ୍କ ସୃଷ୍ଟି କରିଥିଲେ । ଶିବଙ୍କ ପୁଅ ବିମଳଙ୍କ ସହ ପୂର୍ବ ଶତ୍ରୁତା ଥିବାରୁ ତାଙ୍କୁ ଖୋଜିବାକୁ ଆସିଥିଲେ । ହେଲେ ନପାଇବାରୁ ତାଙ୍କ ବଦଳରେ ବାପା ଶିବଙ୍କୁ ଉଠାଇ ନେଇଥିଲେ । ଏହି ଘଟଣାକୁ ନେଇ ସାରାସହରରେ ଭୟର ବାତାରଣ ଦେଖାଦେଇଥିଲା । ଏପରି ସମୟରେ ଲୋକଙ୍କୁ ଭୟଭୀତ କଲାଭଳି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋରେ ନିଜକୁ ବ୍ଲାକ୍‌ ଟାଇଗର ଗ୍ୟାଙ୍ଗ୍‌ ଭାବରେ ଚିହ୍ନଟ କରି, ଅସ୍ତ୍ରଶସ୍ତ୍ର ଧରି ଫଟୋପୋଜ୍‌ ଦେଇଛନ୍ତି ଗୁଣ୍ଡା । ଆଖିରେ ଷ୍ଟାଇଲିସ ଚଷମା, ପାଟିରେ ସିଗାରେଟ ଏବଂ ହାତରେ ମାରଣାସ୍ତ୍ର ଧରି ପୂରା ଫିଲ୍ମ ଷ୍ଟାଇଲରେ ଫଟୋ ପୋଜ୍‌ ଦେଇଛନ୍ତି । ଗତ କିଛିଦିନ ତଳେ ବଲାଙ୍ଗୀର ସହର ଭିତରେ ହୋଇଥିବା କିଛି ଗ୍ୟାଙ୍ଗ୍‌ୱାର୍‌ ସହିତ ଏମାନଙ୍କ ସଂପୃକ୍ତି ଅଛି ନା ନାହିଁ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଏଥିସହିତ; ଏମାନେ ଜଣେ ଜଣେ ପେସାଗତ ଅପରାଧୀ ନା ନାହିଁ ତାହା ଜଣାପଡ଼ିନାହିଁ ।

ତେବେ, ଗ୍ୟାଙ୍ଗ୍‌ୱାର୍‌ ହେବା ପରେ କେହି କାହା ନାଁରେ ଅଭିଯୋଗ ଦାଖଲ କରୁନଥିବାରୁ ହାତବାନ୍ଧି ବସିଛି ପୁଲିସ । ପୁଲିସ ବିଭାଗ ନିଜ ତରଫରୁ ମାମଲା ରୁଜୁ କରି ଏଭଳି ଗୁଣ୍ଡା ଶ୍ରେଣୀୟ ବ୍ଲାକ୍‌ ଟାଇଗରମାନଙ୍କୁ କାବୁ ନକଲେ, ଆଗକୁ ପୁଲିସ ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇପାରନ୍ତି ବୋଲି ଆଲୋଚନା ହେଉଛି ।